ଗଜପତି: ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ସରକାର ନାନା ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମାଟିରେ ମିଶୁଛି ସରକାରୀ ସମ୍ପତ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଜିଲ୍ଲାର କରଡାସିଂ ହାଇସ୍କୁଲ ନିକଟରେ 26 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏକ ସାଇନ୍ସ ପାର୍କ ଏବେ ପରିତ୍ୟକ୍ତ ହୋଇପଡିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ ହୋଇଛି । ଜାତୀୟ ରାଜପଥ ଦେଇ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯାତାୟତ କରୁଥିଲେ ମଧ୍ୟ ଏହି ପାର୍କ ପ୍ରତି କାହାର ଦୃଷ୍ଟି ପଡୁନାହିଁ । ଯାହା ଅତ୍ୟନ୍ତ ଦୁଃଖର ବିଷୟ ।
ପାରଳାଖେମୁଣ୍ଡି 326-ଏ ଜାତୀୟ ରାଜପଥ କଡରେ ରହିଛି କରଡାସିଙ୍ଗ ହାଇସ୍କୁଲ । ଆଦିବାସୀ ପିଲାଙ୍କ ବିଜ୍ଞାନ ଜ୍ଞାନ ବୃଦ୍ଧି ପାଇଁ 2015 ମସିହାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ସ୍କୁଲ ନିକଟରେ ଏକ ସାଇନ୍ସ ପାର୍କ ନିର୍ମାଣ କରାଯାଇଥିଲା । ମାତ୍ର ଏହି ପାର୍କ ନିର୍ମାଣ ପରଠାରୁ ଏହାକୁ ତାଲା ପକାଇ ରଖାଯାଇଛି । ତେଣୁ ଏହା ଦିନଟିଏ ବି ପିଲାଙ୍କ କାମରେ ଲାଗି ନାହିଁ । ଏହାର ରକ୍ଷଣାବେକ୍ଷଣ ପାଇଁ ବର୍ତ୍ତମାନ ପାର୍କଟି ନଷ୍ଟ ହେବାକୁ ବସିଛି । ପାର୍କର ପାଚେରୀ ଭୁଷୁଡି ଯାଇଥିବାବେଳେ ଏଥିରେ ଲଟାବୁଦା ମଧ୍ୟ ମାଡି ଗଲାଣି । ଲକ୍ଷ ଲକ୍ଷ ଟଙ୍କାର ଏହି ପାର୍କ ବର୍ତ୍ତମାନ ସ୍କୁଲ ହଷ୍ଟେଲ ପିଲାଙ୍କ ଲୁଗା ଶୁଖାଇବା ସ୍ଥାନରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ସଫେଇ ଦେଇଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା । ପାର୍କ ନିର୍ମାଣ ପାଇଁ 26 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ତେଣୁ ଏହାର ପୁନଃଉଦ୍ଧାର ପାଇଁ ପ୍ରଶାସନ ସହ ଆଲୋଚନା କରାଯିବ ଏବଂ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଏହି ଆଦିବାସୀ ଉନ୍ନୟନ ସଂସ୍ଥା ।
ଶିକ୍ଷାର୍ଥୀଙ୍କ ବିଜ୍ଞାନ ଜ୍ଞାନ ବୃଦ୍ଧି ପାଇଁ 2015-16 ମସିହାରୁ ନିର୍ମାଣ ହୋଇଥିବା ଏହି ପାର୍କଟି ପିଲାଙ୍କ କାମରେ ଆସିଲା ନାହିଁ କି ଏହାର ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ମଧ୍ୟ ଦୃଷ୍ଟି ଦେଲା ନାହିଁ । ତେଣୁ ସରକାରୀ ଟଙ୍କା କିପରି ପାଣିରେ ପଡେ, ଏହି ପାର୍କର ତାହାର ଜ୍ବଳନ୍ତ ଉଦାହରଣ ପାଲଟିଛି । ଯେତେବେଳେ ଏହି ପାର୍କଟି ନିର୍ମାଣ କରାଗଲା, ଏହା ଯେ ପିଲାଙ୍କ ଶୈକ୍ଷିକ ହିତ ସାଧନ କରିବା ଭାବି ଜନସାଧରଣ ଖୁସି ବ୍ୟକ୍ତ କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଯୋଗୁଁ ସେପରି କିଛି ହୋଇନାହିଁ । ତେଣୁ ଖୁବଶୀଘ୍ର ପ୍ରଶାସନ ଏହି ପାର୍କ ପ୍ରତି ଦୃଷ୍ଟି ଦେଇ ଏହାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ