ଗଜପତି: ଖତଖାଉଛି ସରକାରଙ୍କ ସ୍ବାସ୍ଥ୍ୟ ଯୋଜନା । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି । ଗରୀବ ଲୋକଙ୍କ ପାଇଁ ଆସିଥିବା ଶହଶହ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିକାଶ ଯୋଜନା କାର୍ଡ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଳିଆ ଗଦାରେ ଖତ ଖାଉଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ CDMO ଘଟଣାକୁ ଗୁରୁତ୍ବ ଦେବା ପରିବର୍ତ୍ତେ ଅତ୍ୟନ୍ତ ଦାୟୀତ୍ବହୀନ ମତ ପ୍ରକାଶ କରିଛନ୍ତି ।
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଥିବା ଅଳିଆ ଗଦାରେ ଗରୀବ ଲୋକଙ୍କ ପାଇଁ ଆସିଥିବା ଶହଶହ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବିକାଶ ଯୋଜନା କାର୍ଡ ପଡିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗରୀବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ଜିଲ୍ଲାର ଗରୀବ ଲୋକଙ୍କୁ କାର୍ଡ ଯୋଗାଇ ଦିଆଯାଇଥିଲା । ଏହି କାର୍ଡ ବ୍ୟବହାର କରି ଗରୀବ ଲୋକେ ବ୍ୟବବହୁଳ ହସ୍ପିଟାଲରେ ନିଜର କିମ୍ବା ନିଜ ପରିବାର ସଦସ୍ୟଙ୍କ ଚିକିତ୍ସା କରାଇପାରିବେ ।
ଗରୀବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅଧିକାଂଶ ଯୋଜନାର ଲାଭ ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚି ପାରିନାହିଁ । ଏଥିପାଇଁ ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକୁ ଲୋକେ ଦାୟୀ କରୁଛନ୍ତି । ଫଳରେ ସରକାର ବଦନାମ ହେଉଛନ୍ତି । ସରକାରୀ ଯୋଜନାକୁ କିଭଳି ସରକାରୀ ଅଧିକାରୀମାନେ ମାଡି ମକଚି ଦେଉଛନ୍ତି ତାହାର ନଗ୍ନ ଚିତ୍ର ଏହି ଘଟଣାକରୁ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୁରୁତ୍ବ ଦେବା ବଦଳରେ ଅତି ଖାମଖିଆଲି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଶ୍ରମିକ ଶ୍ରେଣୀର ଲୋକଙ୍କ ନିକଟରେ ଏହି କାର୍ଡ ପହଞ୍ଚାଇବା ପାଇଁ ଶ୍ରମ ବିଭାଗ ସ୍ବାସ୍ଥ୍ୟ ବିଭାଗର ଗ୍ରାମ୍ୟ ସ୍ତରର କର୍ମଚାରୀଙ୍କ ସହାୟତାରେ ଏହା ବଣ୍ଟନ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲା । ହେଲେ ଏହାକୁ ବଣ୍ଟନ କରିବାର ଦାୟିତ୍ବ ନେଇଥିବା କର୍ମଚାରୀଙ୍କ ଅବହେଳା ଯୋଗୁଁ ତାହା ଲୋକଙ୍କ ନିକଟରେ ପହଁଞ୍ଚି ନପାରି ଅଳିଆ ଗଦାରେ ଖତ ଖାଉଛି । ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏଥିପାଇଁ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନ ଦାବି କରିଛନ୍ତି ।
ଇଟିଭି ଭାରତ, ଗଜପତି