ଗଜପତି: ସୀତା ପାହାଡରେ ଚାଲିଛି ମକର ମେଳା। ବର୍ଷ ସାରା ଖାଁ ଖାଁ ଲାଗୁଥିବା ଏହି ସୁଉଚ୍ଚ ପର୍ବତ ଶିଖରେ ଏବେ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଗହଳିଚହଳି। ମକର ସଂକ୍ରାନ୍ତିରେ ପ୍ରଭୁ ରାମ ଓ ମାତା ସୀତାଙ୍କ ଆଶୀର୍ବାଦ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଏହି ଦୃଶ୍ୟ ଏତେ ମନୋମୁଗ୍ଧକର ଯାହା ଦେଖଣାହାରୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରି ରଖିବ।
ମକର ଉତ୍ସବ ବିଭିନ୍ନ ସ୍ଥାନରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ପାଳନକରୁଥିବା ବେଳେ ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳାର ରହିଛି କିଛି ନିଆରା ଅନୁଭୂତି ଓ ସ୍ବତନ୍ତ୍ରତା। ଲୋକେ ଏହି ସୀତା ପାହାଡରେ ଉତ୍ସବ ପାଳନ କରିବା ସହ ମକର ମଧ୍ୟ ବସିଥାନ୍ତି ।
ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ। ଗୋଟିଏ ପଥରରେ ଥିବା ଏହି ପାହାଡ ଉପରେ ମା ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା ନୁହେଁ, ପଡୋଶୀ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ଏହି ପାହାଡର ନାମ କରଣ ଏବଂ ମକର ଉତ୍ସବ ପାଳନ ପଛରେ ଏକ କିମ୍ବଦନ୍ତୀ ରହିଛି। ମାତା ସୀତା ବନବାସ ସାରି ଅଯୋଧ୍ୟା ଫେରିବା ସମୟରେ ମାସିକ ଋତୁସ୍ରାବ ଯୋଗୁଁ ଏହି ପାହାଡରେ କିଛି ଦିନ ଅଟକି ରହିଥିଲେ।
ଏହାପରେ ସ୍ଥାନୀୟ ଲୋକମାନଙ୍କୁ ନେଇ ଏକ ବନ୍ଧୁମିଳନ କରାଇବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏହା କରାଇଥିଲେ। ଏହାପରେ ପାହାଡର ନାଁ ସୀତା ପାହାଡ ହେବା ସହ ସେହି ଦିନକୁ ମନେ ପକାଇବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି । କିଛି ଲୋକ ଏହି ସମୟରେ ପହାଡ ଚଢି ଟ୍ରାକିଂର ମଧ୍ୟ ମଜା ଉଠାଇଥାନ୍ତି। ଏହାସହ ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଁଞ୍ଚିଥାନ୍ତି । ଜନଗହଳିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଇଥିବା ଏସଡିପିଓ କହିଛନ୍ତି।
ପ୍ରତିବର୍ଷ ଏଠାରେ ମକର ଉତ୍ସବ ଖୁବ ଧୁମଧାମରେ ପାଳିତ ହୋଇଥାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି। କିନ୍ତୁ ପ୍ରଶାସନ ଏଥିରେ କୌଣସି ସୁବିଧା ସୁଯୋଗ ଯୋଗାଉନାହିଁ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ