ETV Bharat / state

ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ, ଚିନ୍ତାରେ ଗୋପାଳକ - lumpy skin infection

ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ(lumpy skin infection) । ଜିଲ୍ଲାରେ 80ଟି ଗାଈଗୋରୁଙ୍କ ଦେହରେ ଏହି ରୋଗ ଚିହ୍ନଟ ହେଲାଣି । ଅଧିକ ପଢ଼ନ୍ତୁ

lumpy skin disease increases in gajapati
ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ, ଚିନ୍ତାରେ ଗୋପାଳକ
author img

By

Published : Dec 12, 2022, 12:58 PM IST

ଗଜପତିରେ ବ୍ୟାପୁଛି ଚର୍ମବିଣ୍ଡି ରୋଗ

ଗଜପତି: ଜିଲ୍ଲାକୁ ଜିଲ୍ଲା ଡେଉଁଛି ଭୂତାଣୁଜନିତ ଚର୍ମବିଣ୍ଡି ରୋଗ(lumpy skin infection) । ଏବେ ଗଜପତିରେ ଏହି ରୋଗ ବ୍ୟାପିବାରେ ଲାଗିଛି। ଫଳରେ ଏହାକୁ ନେଇ ଗୋପାଳକମାନେ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ଜିଲ୍ଲାରେ 80ଟି ଗାଈଗୋରୁଙ୍କ ଦେହରେ ଏହି ରୋଗ ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି । ତେବେ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ କହିଛନ୍ତି ।

ଗାଈଗୋରୁଙ୍କ ପାଇଁ ଏବେ ବିପଦ ସାଜିଛି ଚର୍ମବିଣ୍ଡି ରୋଗ । ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାପି ସାରିଥିବା ବେଳେ ଏବେ ଏହା ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି । ପାରଳାଖେମୁଣ୍ଡି ସମେତ ଜିଲ୍ଲାର ଗୋଷାଣି, କାଶୀନଗର, ଗୁମ୍ମା, ରାୟଗଡ ଏବଂ ନୂଆଗଡ ଆଦି ବିଭିନ୍ନ ବ୍ଲକରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ଗୋପାଳକମାନେ ଚିନ୍ତାରେ ପଡିଛନ୍ତି । ଏହି ରୋଗରେ ପୀଡିତ ଗାଇଗୋରୁଙ୍କ ଚମଡାରେ ଫଳି ଯାଉଥିବାବେଳେ ଗୋଡଗୁଡ଼ିକ ଫୁଲି ଯାଉଛି । ଏହାପରେ ଗାଈମାନେ କୌଣସି ଖାଦ୍ୟ ଗ୍ରହଣ କରୁନଥିବା ଯୋଗୁଁ ସେମାନେ ଅତ୍ୟନ୍ତ ଦୁର୍ବଳ ହୋଇପଡୁଛନ୍ତି । ଏପରିକି ଅନେକ ସମୟରେ ସେମାନଙ୍କ ମୃତ୍ୟୁ ମଧ୍ୟ ହେଉଛି । ହେଲେ ଉପଯୁକ୍ତ ଚିକିତ୍ସା ସେବା ମିଳୁନଥିବାରୁ ଗାଈମାନେ ସମସ୍ୟା ଭୋଗୁଛନ୍ତି । ପୂର୍ବରୁ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ଟୀକା ଦିଆଯାଇଥିଲା । ହେଲେ ସେହି ଟିକା କାମ କରୁନଥିବା ଗୋପାଳକମାନେ କହିଛନ୍ତି।

ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା 80ଟି ଗାଇଙ୍କ ଦେହରେ ଏହି ରୋଗ ବ୍ୟାପିଥିବା ସରକାରୀ ଭାବେ ଜଣାପଡିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ । ହେଲେ ବେସରକାରୀ ଭାବେ ସଂକ୍ରମଣ ସଂଖ୍ୟା ଢେର୍ ଅଧିକ ବୋଲି କୁହାଯାଉଛି । ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ କହିଛନ୍ତି, "ଚର୍ମ ବିଣ୍ଡି ରୋଗ ହେଲେ ସଂକ୍ରମିତ ଗାଈଙ୍କଠାରୁ ଭଲ ଗାଈମାନଙ୍କୁ ଅଲଗା ରଖାଯିବା ଉଚିତ।

ତୁରନ୍ତ ପ୍ରାଣୀଧନ କାର୍ଯ୍ୟାଳୟକୁ ସୂଚନା ଦେବାକୁ ଗୋପାଳକମାନଙ୍କୁ ଅନୁରୋଧ କରାଯାଇଛି । ଏହି ସୂଚନା ମିଳିବା ପରେ ସେମାନଙ୍କ ଚିକିତ୍ସା କରାଯିବା ସହ ଅଣ ସଂକ୍ରମିତ ଗାଈମାନଙ୍କୁ ଟୀକା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ଦୁଇଟି ଦଫାରେ 43ହଜାର ଟୀକା ଆସିଥିବା ବେଳେ ଆହୁରି 20ହଜାର ଟୀକା ଅତିଶୀଘ୍ର ଆସିବ । ସେଥିମଧ୍ୟରୁ 17ହଜାର 300ଟି ଟୀକା ପ୍ରଦାନ କରାଯାଇଛି । ଅନ୍ୟଗୁଡିକ ଗଚ୍ଛିତ ରଖାଯାଇଛି। "ଜିଲ୍ଲାରେ ହାରାହାରି 1 ଲକ୍ଷ 73 ହଜାର ଗାଈ ରହିଛନ୍ତି । ତେଣୁ ଆହୁରି ଟୀକାର ଆବଶ୍ୟକତା ରହିଥିବା ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡ.ଗିରିଶ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.