ଗଜପତି: ଚୋରା ମଦ କାରବାର କରୁଥିବା ଜଣେ ମହିଳାଙ୍କ ଘରେ ରେଡ୍ବେଳେ ଅଭାବନୀୟ ଘଟଣା । ହଟହଟା ହେଲେ ପୋଲିସ ଓ ଅବକାରୀ ଟିମ୍ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଶବର ସାହିରେ ଚୋରା ମଦ କାରବାର କରୁଥିଲେ ଭାନୁମତୀ ଶବର ନାମକ ମହିଳା । ଏନେଇ ଜଣାପଡ଼ିବା ପରେ ତାଙ୍କ ଘର ଆଗରେ ପୋଲିସ ଓ ଅବକାରୀ ଟିମ୍ ପହଞ୍ଚିଥିଲା । ଘର ଆଗରେ ପୋଲିସ ଓ ଅବକାରୀ ଟିମକୁ ଦେଖି ଲେଡି ଡନ୍ ଜଣକ ରାଗି ଯାଇଥିଲେ । ଆଉ ଯାହାପାରିଲେ ମୁହଁରେ କହିଚାଲିଲେ ଭାନୁମତୀ । ଏପରିକି ହାତରେ ପନିକି ଧରି ପୋଲିସ ଓ ଅବକାରୀ ଟିମ୍ ସହ ଯୁକ୍ତିତର୍କ କରିବାକୁ ପଛାଇନଥିଲେ ।
ସିଧା ଭାବେ କହିଲେ ଲେଡି ଡନ୍, ''ମୁଁ କବାଟ ଖୋଲିବି ନାହିଁ । ମୋ ଘରେ ମଦ ନାହିଁ । ଯଦି କାହାର ସାହାସ ଅଛି ମୋ ଘର ଭିତରକୁ ପଶି ଦେଖାଅ ।'' ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ଠିଆହୋଇ ଗେଟ୍ ଖୋଲିବାକୁ କହୁଥିବାବେଳେ, ଗେଟ୍ ଭିତରେ ରହି ହାତରେ ପନିକି ଧରି ଯୋର୍ ଦେଖାଉଥିଲେ ଏହି ମହିଳା ଜଣକ ।
ଭିତର ପଟୁ କବାଟ ବନ୍ଦ କରି ପୋଲିସ୍ ସହିତ ଯୁକ୍ତି କରିବା ସହ, ଜୋର୍ ଜବରଦସ୍ତ ଘରେ ପ୍ରବେଶ କଲେ ଆତ୍ମହତ୍ୟା କରିବାର ଧମକ ବି ଦେଉଥିଲେ । ଏହାପରେ ପୋଲିସ୍ ଓ ଅବକାରୀ ବିଭାଗର ଟିମ୍ ସେଠାରୁ ଚାଲି ଯାଇଥିଲେ । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯଦିଓ ସେ ଚୋରା ମଦ ବେପାର କରୁନାହାଁନ୍ତି, ତାହେଲେ ପୋଲିସକୁ ଘର ଭିତରକୁ ଛାଡିଲେନି କାହିଁକି । ଘର ଭିତରେ ଏମିତି କ'ଣ ଥିଲା ଯେ ପୋଲିସକୁ ପନିକି ଦେଖାଇବା ସହ ଆତ୍ମହତ୍ୟାର ଧମକ ଦେଇଥିଲେ ମହିଳା ଜଣକ । ତେବେ ଏହି ଲେଡି ଡନଙ୍କ ଉପରେ ଅବକାରୀ ବିଭାଗ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଗଜପତି