ପାରଳାଖେମୁଣ୍ଡି: ପେଶା ସରକାରୀ ଚାକିରୀ । କିନ୍ତୁ ନିଶା ଅଭିନୟ । ସରକାରୀ ଅଧିକାରୀ ହେଲେ ମଧ୍ୟ ନିଶା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଉଚିତ ମଣିନଥାନ୍ତି । ବିଶେଷ କରି କଳାକାରମାନଙ୍କ କ୍ଷେତ୍ରରେ ଏହା ଅନେକ ଥର ଦେଖିବାକୁ ମିଳିଥାଏ । କଳା ପରିବେଷଣର ସୁଯୋଗ ମିଳିଲେ ସେମାନେ କୌଣସି ପ୍ରକାରେ ହାତଛଡା କରିନଥାନ୍ତି । ଏଇ ଯେମିତି ଗଜପତି ଜିଲ୍ଲାର ସହକାରୀ ଯୋଗାଣ ଅଧିକାରୀ ମନୋଜ ଦାଶ । ସଞ୍ଜୟ ଦତ୍ତଙ୍କ ବଡ ଫ୍ୟାନ୍ ଏବଂ ସ୍ଥାନୀୟ ଅଞ୍ଚଳରେ ‘ସଞ୍ଜୁ ବାବା’ ନାମରେ ପରିଚିତ ।
ନାୟକ ନୁହେଁ, ଖଳନାୟକ ହୁଁ ମେ..ବଲିଉଡ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଳି ଡାଏଲଗ କହୁଥିବା ଏବଂ ସଞ୍ଜୟଙ୍କ ଭଳି ଅବିକଳ ଷ୍ଟାଇଲ କରୁଥିବା ଏହି ବ୍ୟକ୍ତି ଜଣକ ସତ ସତିକା ସଞ୍ଜୟ ଦତ୍ତ ନୁହନ୍ତି । ବରଂ ସଞ୍ଜୟଙ୍କ ଜଣେ ବଡ ଫ୍ୟାନ୍ । ସେ ହେଉଛନ୍ତି ମନୋଜ ଦାଶ । ବର୍ତ୍ତମାନ ଗଜପତି ଜିଲ୍ଲାର ସହକାରୀ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ । ସାଧାରଣତଃ ଜଣେ ପଦସ୍ଥ ସରକାରୀ ଅଧିକାରୀ ସିଧାସାଧା ପୋଷାକ ପରିଧାନ କରିବା ସହ ଚାଲିଚଳଣି, କଥାବାର୍ତ୍ତା ସିଧାସାଧା ରହିଥାଏ । ହେଲେ ମନୋଜ ଏଠାରେ ଅତିରିକ୍ତ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କର ଷ୍ଟାଇଲ୍ ସେପରି କିଛି ନଥିଲା । ତେଣୁ ଏହାର କାରଣ ଜାଣିବା ପାଇଁ ଆଗ୍ରହ ପ୍ରକାଶ ପାଇଥିଲା । ତାଙ୍କ ସହ ଆଲୋଚନା ବେଳେ ଜଣାପଡିଥିଲା ଯେ, ସେ ଜଣେ କଳାକାର ।
ଅନେକ ଆଲବମରେ ଗୀତ ଗାଇବା ସହ ନିଜର ଅଭିନୟର ଯାଦୁ ମଧ୍ୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅନେକ ଆଲବମ ରହିଥିବା ବେଳେ ଏବେ ଏବେ ରିଲିଜ୍ ହୋଇଥିବା ବେଜୁବାନ ସା ଦିଲ୍ ନାମକ ଆଲବମରେ ମଧ୍ୟ ସେ ଅଭିନୟ କରିଥିବା କହିଥିଲେ ।
କଲେଜରେ ପଢିବା ସମୟରେ ତାଙ୍କ ସାଙ୍ଗସାଥୀ, ସହପାଠୀ ତାଙ୍କୁ ସଞ୍ଜୟ ଦତ୍ତ ବୋଲି ଡାକୁଥିଲେ । ଏହାପରେ ସେ ଯେଉଁଠିକୁ ଚାକିରୀ ପାଇଁ ଯାଇଛନ୍ତି ସେଠାର ତାଙ୍କୁ ସମସ୍ତେ ସଞ୍ଜୟ ଦତ୍ତ ବୋଲି କହନ୍ତି । କେବଳ ସେଥିପାଇଁ ନୁହେଁ, ବରଂ ପିଲାଟି ବେଳରୁ ସେ ସଞ୍ଜୟଙ୍କର ଜଣେ ବଡ ଫ୍ୟାନ୍ ହୋଇଥିବାରୁ ତାଙ୍କ ଭଳି ଷ୍ଟାଇଲରେ ରହିବାକୁ ସବୁବେଳେ ସେ ପସନ୍ଦ କରିଥାନ୍ତି । ଏହା ଅନ୍ୟମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି । ତେଣୁ ସମସ୍ତେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ଦତ୍ତ ବୋଲି କହନ୍ତି । ଗୀତ ଗାଇବା ଏବଂ ଅଭିନୟ କରିବାର ଇଚ୍ଛା ପିଲାଟି ବେଳରୁ ରହିଛି ଏବଂ ସୁଯୋଗ ମିଳିଲେ କରୁଛି ମଧ୍ୟ । ବଞ୍ଚିଥିବା ଯାଏଁ କଳା ପରିବେଷଣ ପାଇଁ ସୁଯୋଗ ମିଳିଲେ ନିଶ୍ଚୟ କରିବି ବୋଲି କୁହନ୍ତି ମନୋଜ ।
ଯେତେବେଳେ ମନୋଜ ବଦଳି ହୋଇ ପାରଳାଖେମୁଣ୍ଡି ଆସିଲେ ଏବଂ କାର୍ଯ୍ୟରେ ଯୋଗଦେଲେ ତାଙ୍କ ଷ୍ଟାଇଲ୍ ଏବଂ କଥାବାର୍ତ୍ତାକୁ ନେଇ ସହକାର୍ମୀମାନେ ଚମକି ପଡିଥିଲେ । ତାଙ୍କ ସହ କଥା ହେବା କିମ୍ବା କୌଣସି କାମରେ ଆଲୋଚନା କରିବା ପ୍ରଥମେ ପ୍ରଥମେ ଅନ୍ୟମାନଙ୍କ ପାଇଁ ସହଜ ହୋଇନଥିଲା । ହେଲେ ଏବେ ସବୁ କିଛି ଓଲଟି ଯାଇଛି । ଦିନ ତମାମ କମରେ ବ୍ୟସ୍ତ ହୋଇ କ୍ଲାନ୍ତ ହୋଇପଡିବା ପରେ ଖୋଜାପଡନ୍ତି ମନୋଜ ସାର୍ । ତାଙ୍କ ମଧ୍ୟରେ ଥିବା କଳା ଦ୍ବାରା ସମସ୍ତଙ୍କୁ ହସାଇ କ୍ଲାନ୍ତି ଦୂର କରିଥାନ୍ତି ବୋଲି କହନ୍ତି ସହକର୍ମୀମାନେ । କେବଳ ତାଙ୍କ ବିଭାଗ ନୁହେଁ, ଅନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ମନୋଜଙ୍କୁ ବେଶ୍ ଭଲପାଆନ୍ତି । କେବଳ ଅଭିନୟ କରିବା କିମ୍ବା ଅନ୍ୟକୁ ହସାଇବା ନୁହେଁ, ନିଜର କାମକୁ ମଧ୍ୟ ସେ ଠିକ ଢଙ୍ଗରେ କରିଥାନ୍ତି ବୋଲି କହନ୍ତି ସେମାନେ ।
ପେଶା ଏବଂ ନିଶା ଅଲଗା ଅଲଗା ହୋଇଥିଲେ ମଧ୍ୟ ଏହାରି ଭିତରେ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢିବାର ଅନେକ ଉଦାହରଣ ରହିଛି । ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ମନୋଜ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ