ଗଜପତି: ପାରଳାଖେମୁଣ୍ଡି ପୌରପରିଷଦର ଅଳିଆଗଦା ଘୁଞ୍ଚାଇବା ଦାବିରେ ୧ନମ୍ବର ୱାର୍ଡ ବାସିନ୍ଦାଙ୍କ ଆନ୍ଦୋଳନ । ଜନବସତିକୁ ଲାଗି ରହିଥିବା ଅଳିଆ ଗଦା ଏବଂ ସେଥିରୁ ନିର୍ଗତ ଧୂଆଁରେ ଅତିଷ୍ଠ ୧ନମ୍ବର ୱାର୍ଡବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ସହରରୁ ପ୍ରତିଦିନ ୨ଟନରୁ ଅଧିକ ଅଳିଆ ସଂଗ୍ରହ ହେଉଥିବା ବେଳେ ସେଗୁଡିକୁ ଆଣି ଜନବସତି ନିକଟରେ ପକାଇ ଦିଆଯାଉଛି । ଗତ ଅନେକ ଦିନ ହେଲା ସଂଗୃହିତ ଅଳିଆ ନିର୍ଦ୍ଧିଷ୍ଟ ସ୍ଥାନରେ ନପକାଇ ରାସ୍ତାରେ ପକାଇ ଦିଆଯାଉଛି । ଦୀର୍ଘ ଦିନ ହେଲା ନଷ୍ଟ କରାଯାଇନଥିବାରୁ ସେହି ସ୍ଥାନରେ ଅବସ୍ଥା ଏଭଳି ହୋଇଛି ଯେ, ଏକ ଛୋଟିଆ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଫଳରେ ସାଧାରଣ ଲେକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତି ଯୋଗୁଁ ଓମ୍ ଶାନ୍ତି କଲୋନୀ, ଗ୍ରୀଡ୍କୋ କାର୍ଯ୍ୟାଳୟ ସମେତ ଏହାର ଆଖପାଖ ଅଞ୍ଚଳରେ ଲୋକେ ପୁତି ଗନ୍ଧମୟ ପରିସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର କହିବା ପରେ ଅଳିଆ ଗଦା ସ୍ଥାନାନ୍ତର କରାଯଉନାହିଁ । ଓଲଟି ଏହାକୁ ନଷ୍ଟ କରିବା ପାଇଁ ପୋଡିବା ସମୟରେ ନିର୍ଗତ ଧୂଆଁ ଯୋଗୁଁ ଏହି ଅଞ୍ଚଳର ଲୋକେ ଅଣ ନିଶ୍ବାସୀ ହୋଇପଡ଼ୁଛନ୍ତି । ଫଳରେ ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି
ତେଣୁ ଏହାର ପ୍ରତିବାଦରେ ଲୋକେ ଆନ୍ଦୋଳନ କରିବା ସହ ତୁରନ୍ତ ଏହି ଅଳିଆ ଗଦାକୁ ଜନବସତି ଠାରୁ ଦୂରରେ କୌଣସି ସ୍ଥାନକୁ ଘୁଞ୍ଚାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୌର ଉପାଧ୍ୟକ୍ଷ ଲେଙ୍କା ମଧୁ ଓ ସାନିଟେସନ ଇନ୍ସପେକ୍ଟର ଭେଙ୍କେଟ ରାଓ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଅଲୋଚନା କରିଥିଲେ । ବର୍ତ୍ତମାନ ଅଳିଆଗୁଡିକ ସଠିକ ସ୍ଥାନରେ ପକାଇବା ସହ ନପୋଡ଼ିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଅଳିଆଗଦା ଘୁଞ୍ଚାଇବା ପାଇଁ ସ୍ବତନ୍ତ୍ର ସ୍ଥାନର ଆବଶ୍ୟକତା ରହିଛି । ସ୍ଥାନ ନିରୁପଣ ପରେ ଏହି ଅଳିଆଗଦା ଘୁଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ସାନିଟେରୀ ଇନ୍ସପେକ୍ଟର । ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଅଳିଆଗଦାରେ ଆଜି ବି ପଡ଼ୁଛି ସହରର ଅବର୍ଜନା । ଏହି ଅଞ୍ଚଳରେ ଜନବସତି ଗଢ଼ି ଉଠିବା ପରେ ମଧ୍ୟ ପୌର ପ୍ରଶାସନ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଇଟିଭି ଭାରତ, ଗଜପତି