ଗଜପତି: ଦିବ୍ୟାଙ୍ଗ ନିରଞ୍ଜନଙ୍କୁ ମିଳିବ ଜାତୀୟ ପୁରସ୍କାର । ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ପାଇଁ 20ବର୍ଷ ଧରି ଲଢେଇ କରୁଥିବା ନିରଞ୍ଜନଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା 3ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ସମ୍ବର୍ଦ୍ଧିତ କରାଯିବ ।
ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସ୍ଥାନରୁ ଛୁଟୁଛି ତାଙ୍କୁ ଶୁଭେଚ୍ଛାର ସୁଅ । ଏହାକୁ ନେଇ ବେଶ ଖୁସି ଅଛନ୍ତି ନିରଞ୍ଜନ । ଭଲ କାମ ପାଇଁ ସମ୍ବର୍ଦ୍ଧନା ଦିଆଯିବା ଆନନ୍ଦର କଥା । କିନ୍ତୁ ତାଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରଶାସନ ପଦେକ୍ଷପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି । ତେବେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ପାରଳାଖେମୁଣ୍ଡି ସହରର ଓଡ଼ିଆ ପାରଳା ସାହିର ବାସିନ୍ଦା ରବି ନାରାୟଣଙ୍କ 3ପୁଅ ମଧ୍ୟରୁ ବଡ ହେଉଛନ୍ତି ନିରଞ୍ଜନ । ଜନ୍ମ ବେଳକୁ ସବୁ କିଛି ଠିକ ଠାକ ଥିଲା । ହେଲେ ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୋଇଥିଲା । ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଉପଯୁକ୍ତ ଚିକିତ୍ସା ଅଭାବରୁ ଧିରେ ଧିରେ ସେ ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିଥିଲେ । କିନ୍ତୁ ଦୃଷ୍ଟିହୀନଙ୍କ ପାଇଁ ଥିବା ସ୍ବତନ୍ତ୍ର ବ୍ୟବସ୍ଥା ସଂପର୍କରେ ସେ ଜାଣିପାରିନଥିବାରୁ ଆଗକୁ ପଢିପାରିନଥିଲେ । ଫଳରେ ମ୍ୟାଟ୍ରିକ ଫେଲ ହେବା ପରେ ପାଠରେ ଡୋରୀ ବନ୍ଧା ହୋଇଥିଲା । ତେବେ ଅନ୍ୟ ଦିବ୍ୟାଙ୍ଗ ଯେପରି ତାଙ୍କ ଭଳି ଦଶା ନ ଭୋଗନ୍ତୁ ସେଥିପାଇଁ ସରକାରଙ୍କ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସଂପର୍କରେ ସଚେତନ କରିବା ସହ ଅନ୍ୟ ଦୃଷ୍ଟିହୀନ ଯେପରି ସବୁ ସିବିଧା ପାଇବେ ସେ ନେଇ କାମ ଆରମ୍ଭ କରିଥିଲେ । ପ୍ରଥମେ ସହର, ତାପରେ ଜିଲ୍ଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସାରା ବୁଲି ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ପାଇଁ ସେ ପ୍ରୟାସ କରିଥିଲେ ।
ଏବେ ସେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଅଛନ୍ତି । ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି । ଆସନ୍ତା 3 ରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରାଯିବ । । ଏହା ପୂର୍ବରୁ ୨୦୧୩ ମସିହାରେ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବଦ୍ଧିତ ହୋଇଥିବା ବେଳେ ୨୦୧୭ ରେ ରେଡକ୍ରସ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଏହି ସବୁ ପୁରସ୍କାର ତାଙ୍କୁ ଅଧିକ ଆଗକୁ ବଢିବାକୁ ଆହୁରୀ ଉତ୍ସାହିତ କରି ସହ ଅଧିକ କାମ କରାଇବାକୁ ପ୍ରେରଣା ଯୋଗାଉଛି ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି । ତେବେ ଚଳିତ ଥର ଜାତୀୟ ସ୍ତରରେ ସମ୍ବର୍ଦ୍ଧନା ମିଳୁଥିବାରୁ ସେ ଅଧିକ ଖୁସି କହିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ଏବଂ ସାହି-ପଡିଶା ଲୋକେ ମଧ୍ୟ ବେଶ ଉତ୍କଷ୍ଠା ଅଛନ୍ତି । ତାଙ୍କ ବାପା ରବି ନାରାୟଣ ବେହେରା କହିଛନ୍ତି ଯେ, ପୁଅ ଭିନ୍ନକ୍ଷମ ହେବା ପରେ ସେ ଜୀବନରେ କଣ କରିବ ତାହାକୁ ନେଇ ଆମେ ଚିନ୍ତାରେ ଥିଲୁ । କିନ୍ତୁ ବର୍ତମାନ ସେ ଯେଉଁ ସଫଳତା ହାସଲ କରିଛି ତାହା ଆମକୁ ଗର୍ବିତ କରିଛି ।’
ଏହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଖୁସି ପ୍ରକାଶ କରିଛନ୍ତି । ହେଲେ ସବୁ ବେଳେ ଅନ୍ୟର ଅଧିକାର ପାଇଁ ଲଢେଇ କରୁଥିବା ନିରଞ୍ଜନଙ୍କ କିନ୍ତୁ ଏବେ ବି ପ୍ରଶାସନନ ଦୃଷ୍ଟି ଆଢୁଆଳରେ । କେବଳ ଭିନ୍ନକ୍ଷମ ଭତ୍ତା ଛଡ଼ା ଆଉ କିଛି ପାଉନାହାନ୍ତି । ଫଳରେ ଆଜି ବି ଭଙ୍ଗା କୁଡିଆ ଘରେ ବିତୁଛି ତାଙ୍କ ଜୀବନ । ଏବେ ତାଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ଉଠିଛି । ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ଗଜପତି ଭଳି ଏକ ଜିଲ୍ଲାରୁ ଜଣେ ଦିବ୍ୟାଙ୍ଗ ଏଭଳି ଜାତୀୟ ସ୍ତରର ପୁରସ୍କାର ପାଇବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ । ତେବେ ତାଙ୍କ ସମସ୍ୟା ସଂପର୍କରେ ସେ ଏବେ ଜାଣିବାକୁ ପାଇଛନ୍ତି ଏବଂ ଏହାର ସମାଧାନ ପାଇଁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ
ଜଣେ ଦିବ୍ୟାଙ୍ଗ ହୋଇ ନିଜେ ଯେଉଁ ଅସୁବିଧା ଭୋଗିଥିଲେ, ତାହା ଆଉ କେହି ନ ଭୋଗନ୍ତୁ ଏଥିପାଇଁ ଲଢେଇ କରୁଥିବା ନିରଞ୍ଜନଙ୍କ ସମସ୍ୟାର ସମାଧାନ କେବେ ହେଉଛି ତାହା ଉପରେ ରହିଛି ନଜର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ