ଗଜପତି : ସାଧରଣତଃ କିନ୍ନରମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଆସିଛି । ଏପରିକି ନିଜ ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉ ନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି ।
କାରଣ ସୋମାନଙ୍କୁ କୌଣସି କର୍ମ ସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର । ଏହାକୁ ଦେଖିବା ପରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିଥିଲେ । ଏହାସହ ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଚା’ଦୋକାନଟିଏ ନିର୍ମାଣ କରାଇଥିଲେ । ଏହାକୁ ଉଦଘାଟନ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।
ଏନେଇ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ପ୍ରୟାସ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଦୋକାନ ଘର ନିର୍ମାଣ କରାଯାଇ କିନ୍ନରଙ୍କୁ ଯୋଗାଇ ଦିଆଯାଇଛି । ସେହିଭଳି ଜିଲ୍ଲା ସାମାଜିକ ସୁରକ୍ଷା ପାଣ୍ଠିରୁ 50ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ସେମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାଦ୍ବାରା କିନ୍ନରମାନେ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ସେ କହିଛନ୍ତି ।
ପ୍ରଶାସନ ଦ୍ବାରା ହୋଇଥିବା ଏହି ଦୋକାନ ତାଙ୍କୁ ନୂତନ ରାହା ଦେବ ବୋଲି ମଧୁ କିନ୍ନର କହିଛନ୍ତି । ତେବେ, ଏହି ଦୋକାନରେ ଚା, କଫି ଏବଂ ଜଳଖିଆ ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ ବୋଲି କିନ୍ନରମାନେ କହିଛନ୍ତି । ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ପ୍ରଶଂସା କରିବା ସହ ପୂର୍ବରୁ ଏହି ଅଞ୍ଚଳରେ କୌଣସି ଦୋକାନ ବଜାର ନଥିବାରୁ ନିଜ କାମରେ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଲୋକେ କହିଛନ୍ତି । ତେବେ ପ୍ରଶାସନର ଏଭିଳି କାମକୁ ମଧ୍ୟ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ