ଗଜପତି: ମହୁନାଡ ବା ପଦ୍ମଫୁଲର ନାଡ । ବର୍ତ୍ତମାନ ଏହା ଅପଭ୍ରଂଶ ହୋଇ ମୁନାଡ ହୋଇଛି । ମହୁନାଡ ପ୍ରତି ବିଶେଷ କରି ଦକ୍ଷିଣ ଓଡିଶା ଲୋକଙ୍କର ରହିଛି ବେଶ ଦୁର୍ବଳତା । ସେଥିପାଇଁ ଗଜପତିର ବିଭିନ୍ନ ମାର୍କେଟରେ ବିକ୍ରି ହୋଇଥାଏ ପଦ୍ମଫୁଲର ନାଡ । ପଦ୍ମଫୁଲର ନାଡରୁ ବିଭିନ୍ନ ପ୍ରକାରର ତରକରୀ ଏବଂ ଭଜା କରାଯାଏ । ଯାହା ପାଟିକୁ ବେଶ ସୁଆଦିଆ ଲାଗିଥାଏ । ତେଣୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ବଜାରରେ ପୂର୍ବରୁ ଏହା ବିଡା 5 ଟଙ୍କାରେ ମିଳୁଥିବା ବେଳେ ଲୋକଙ୍କ ଚାହିଦା ବୃଦ୍ଧି ପାଇଥିବାରୁ ଏହାର ଦର ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ବିଡା 30 ଟଙ୍କାରେ ବିକ୍ରି କରାଯାଉଛି । ମହୁନାଡକୁ ଆଳୁ ସହ ଭଜା ହେଉ କି ପିଠଉ ଦେଇ ଭଜା କରିବା ହେଉ କି ମୁଗ ମିଶାଇ ତରକାରୀ କଲେ ଏହାର କୌଣସି ଭଲ ପରିବାର ତରକାରୀ ଠାରୁ କିଛି କମ୍ ନୁହେଁ ବୋଲି କହିଛନ୍ତି ବୁଦ୍ଧିଜିବୀ ।
ତେବେ ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ । ସଂଗ୍ରହ କରିବା ସେତିକି କଷ୍ଟକର । ଶୁଖିଲା ପଦ୍ମପୋଖରୀରୁ ଏହା ସଂଗ୍ରହ କରାଯାଉଥିବାରୁ ପଙ୍କରେ ପଶିବାକୁ ପଡିଥାଏ । ଏଥିରୁ ନିର୍ଗତ ବାସ୍କ ଲୋକଙ୍କୁ ଶ୍ବାସରୁଦ୍ଧ ମଧ୍ୟ କରିଦେଇଥାଏ । ତେଣୁ ଅଧିକାଂଶ ଲୋକେ ଏହା ସଂଗ୍ରହ କରିବାକୁ ସାହସ କରି ପାରି ନ ଥାନ୍ତି । ଅଳ୍ପ କିଛି ଲୋକେ ଏହାର ତରିକା ଜଣାଥିବାରୁ ସେମାନେ ହିଁ ଏହା ସଂଗ୍ରହ କରିଥାନ୍ତି । ମାଟିକୁ ଖୋଳି ପଦ୍ମର ଚେରକୁ ମାଟିରୁ ବାହାରି କରିଥାନ୍ତି । ପରେ ପାଣିରେ ସେଗୁଡିକୁ ସଫା କରି କରି ବଜାରରେ ବିକ୍ରି କରିଥାନ୍ତି । ତେବେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବା କହିଛନ୍ତି ମହୁନାଡ ସଂଗ୍ରହକାରୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ