ଗଜପତି: ପ୍ରଥମ ଆଦିବାସୀ ମହିଳା ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି ଆଦିବାସୀ ସମ୍ପ୍ରଦାୟ । ଏ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବାବେଳେ ଆଦିବାସୀ ସଂଗୀତଜ୍ଞ ଷ୍ଟିଫେନ ରଇତ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ସ୍ବତନ୍ତ୍ର ଗୀତ ମାଧ୍ୟମରେ ସେ ଓଡିଶାର ତଥା ଭାରତ ଦୁଃଖ ଦୂର ହେବ ବୋଲି କହିଛନ୍ତି ।
ଗୁମ୍ମା ବ୍ଲକ୍ ବାଇଝାଲରେ ଜନ୍ମିତ ଷ୍ଟିଫେନଙ୍କ ପିଲାଟି ବେଳରୁ ସଂଗୀତ ପ୍ରତି ରୁଚି ରହିଥିଲା । ପାଠପଢା ସହ ନିଜ ଉଦ୍ୟମରେ ସଂଗୀତ ଶିକ୍ଷା ଲାଭ କରଥିଲେ । ପରବର୍ତ୍ତୀ ସମୟରେ ଆଦିବାସୀଙ୍କ ସଂସ୍କୃତିକୁ ନେଇ ଅନେକ ଗୀତ ଲେଖିବା ସହ ଏହାକୁ ଗାଇଛନ୍ତି । ବର୍ତ୍ତମାନ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ତାହା ପୁଣି ଓଡିଆ ଝିଅ ଦ୍ରୌପଦୀ ଦେଶର ସର୍ବୋଚ୍ଚ ଆସନରେ ପହଞ୍ଚିଥିବାରୁ ସେ ଖୁସି ପ୍ରକାଶ କରି ସଂଗୀତ ମାଧ୍ୟମରେ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ସାଧାରଣ ଆଦିବାସୀ ପରିବାରରେ ଜନ୍ମ ଲାଭ କରିଥିବା ଷ୍ଟିଫେନ୍ କେବେ ଦ୍ରୌପଦୀଙ୍କୁ ସାକ୍ଷାତ କରିବା ସମ୍ଭବ ହେବ କି ନାହିଁ ତାହା ଜାଣିନାହାନ୍ତି । ତେଣୁ ସେ ସଂଗୀତ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ପାଇଁ ପ୍ରୟାସ କରିଥିବା କହିଛନ୍ତି । ଏହି ଗୀତକୁ ନେଇ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଗୁର ରଘୁନାଥ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଏ ନେଇ ପାତ୍ର କହିଛନ୍ତି ଯେ, "ସଂଗୀତ ହେଉଛି ଏମିତି ଏକ ମାଧ୍ୟମ ଯାହା ଦ୍ବାରା ନିଜ ହୃଦୟର ଭାବନାକୁ ପରିପ୍ରକାଶ କରାଯାଇଥାଏ । ତେଣୁ ଷ୍ଟିଫେନଙ୍କ ଏହି ଉଦ୍ୟମ ପ୍ରସଂଶନୀୟ ।"
ସାସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ କହିଛନ୍ତି ଯେ, "ଓଡିଆ ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିବା ସମସ୍ତ ଓଡିଆଙ୍କ ପାଇଁ ଗର୍ବର ବିଷୟ । ତେଣୁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଷ୍ଟିଫେନଙ୍କ ଉଦ୍ୟମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ । ଓଡି଼ଶାର ଜଣେ ମହିଳା, ପୁଣି ଆଦିବାସୀ ସଂପ୍ରଦାୟର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ।
ଇଟିଭି ଭାରତ, ଗଜପତି