ଗଜପତି: କୋରୋନାର ମୁକାବିଲା କରିବାର ଏକମାତ୍ର ମାଧ୍ୟମ ହେଉଛି ସାମାଜିକ ଦୁରତ୍ବ । ଏଥିପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ତେବେ ଲକଡାଉନ ସମୟରେ ଯେଭଳି ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇରାଣ ନହୁଅନ୍ତି ସେଥିପାଇଁ ଗଜପତି ଜିଲ୍ଲା ପ୍ରଶାସନ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସବୁ ସ୍ଥାନରେ ପରିବା, ତେଜରାତି, ଔଷଧ ଏବଂ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲା ରଖାଯାଇଛି । ହେଲେ ସେହି ସବୁ ସ୍ଥାନରେ ମଧ୍ୟ ଲୋକେ ଯେଭଳି ଗହଳି ନକରନ୍ତି ଏବଂ ସାମାଜିକ ଦୁରତ୍ବ ବଜାୟ ରହେ ସେଥିପ୍ରତି ମଧ୍ୟ ପ୍ରଶାସନ କଡା ନଜର ରଖିଛି ।
ଜିଲ୍ଲାରେ ଗତକାଲି ବିଭିନ୍ନ ଦୋକାନରେ ବିଶେଷ କରି ପରିବା ବଜାରରେ ସୃଷ୍ଟି ହୋଇଥିବା ଗହଳିକୁ ଦୃଷ୍ଟିରେ ରଖି ଗୁରୁବାର ସମସ୍ତ ଦୋକାନ ଆଗରେ ରେଖାଙ୍କନ କରାଯାଇଛି । ରେଖାଙ୍କିତ ସ୍ଥାନରେ ରହି ଗ୍ରାହକମାନଙ୍କୁ ଜିନିଷପତ୍ର କିଣିବା ପାଇଁ ପରାମର୍ଶ ଦିଆଯାଇଛି । ଏହାକୁ ଅବମାନନା କଲେ ସଂପୃକ୍ତ ଗ୍ରାହକ ଏବଂ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନି ଦିଆଯାଇଛି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏପରିକି ଲୋକଙ୍କୁ ବୁଝାଇବା ପାଇଁ ବର୍ତ୍ତମାନ ସ୍ବେଚ୍ଛାସେବୀ ଏବଂ ସ୍ଵଚ୍ଛସାଥୀମାନଙ୍କ ସହାୟତା ମଧ୍ୟ ନିଆଯାଉଛି । ତେବେ ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ, ତାହା ବୁଲି ତଦାରଖ କରୁଛନ୍ତି ଜିଲ୍ଲାପାଳ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ