ଗଜପତି: ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଆର.ପି କୋଚେ ଶୁକ୍ରବାର ଅଚାନକ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି । ଗତ ବୁଧବାର ପୋଲିସ ଗାଡିରେ କାଠ ଚୋରା ଚାଲାଣ ବେଳେ ଧରାପଡିବା ଘଟଣାର ତଦନ୍ତ ପାଇଁ ଆସିଛନ୍ତି । ଏଡିଜିଙ୍କ ଗସ୍ତକୁ ନେଇ ସେ କିଛି କହିବାକୁ ମନା କରିଦେଇଥିବା ବେଳେ ଗଜପତି ଏସପି ଜୟରାମ ଶତପଥୀ ଏଡିଜି ପୋଲିସ ଗାଡିରେ କାଠ ଚୋରା ଚାଲାଣ ଘଟଣାର ତଦନ୍ତ ପାଇଁ ଆସିଥିବା ସ୍ପଷ୍ଟ କରିଛନ୍ତି ।
କାଠ ଚୋରାଚାଲାଣ କରୁଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଗଜପତିରେ ପହଞ୍ଚିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଆର.ପି କୋଚେ । ସେ ଶୁକ୍ରବାର ଅପରାହ୍ନରେ ପାରଳାଖେମୁଣ୍ଡି ପହଞ୍ଚିବା ପରେ ବନବିଭାଗର ଅଧିକାରୀଙ୍କୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସେ ଓଏସଏପି ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଜୁରିଆ ବେହେରାଙ୍କୁ ଡାକି ମଧ୍ୟ ପଚରାଉଚୁରା କରିଥିଲେ ।
ଗିରଫ ୪ ଜଣ ଓ ଏସଏପି କର୍ମଚାରୀ ଏବେ ଜେଲ ହାଜତରେ ରହିଥିବାରୁ ସେମାନଙ୍କ ଜାମିନ ପରେ ପଚରାଉଚୁରା କରାଯିବ ବୋଲି କୁହାଯାଉଛି । ତେବେ ଏଡିଜି ନିଜ ଗସ୍ତ ସମ୍ପର୍କରେ କିଛି କହିବାକୁ ମନା କରିଥିବା ବେଳେ ଗଜପତି ଏସପି କିନ୍ତୁ ଏଡିଜିଙ୍କ ଗସ୍ତର କାରଣ ସ୍ପଷ୍ଟ କରିଛନ୍ତି । ଏସପି ଜୟରାମ ଶତପଥୀ କହିଛନ୍ତି ଯେ, ପୋଲିସ୍ ଗାଡିରେ କାଠ ଚୋରାଚାଲାଣ ଘଟଣାର ତଦନ୍ତ ପାଇଁ ଏଡିଜି, ଗଜପତି ଆସିଛନ୍ତି । ତଦନ୍ତ ବର୍ତ୍ତମାନ ଜାରି ରହିଛି ଏବଂ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।
ଗତ ବୁଧବାର ପୁଲିସ୍ ଭ୍ୟାନରେ ବିପୁଳ ପରିମାଣର ମୂଲବାନ କାଠ ଚୋରାଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ବନବିଭାଗ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ଗେଟ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ପୋଲିସ ଭ୍ୟାନରୁ ବିପୁଳ ପରିମାର ମୂଲ୍ୟବାନ କାଠ ଜବତ କରିବା ସହ ଗାଡିକୁ ବି ଜବତ କରିଥିଲା । ଏହି ଗାଡିର ଡ୍ରାଇଭର ଶ୍ରୀଧର ମହାପାତ୍ରଙ୍କ ସମେତ ଅନ୍ୟ ୩ ଜଣ ସହକାରୀ ଡ୍ରାଇଭର ଭରତ ମହାଙ୍କୁଡ, ସିପାହୀ ଚିନ୍ମୟ ବେହେରା ଏବଂ ଡେପୁଟି ସୁବେଦାର ତଶୋବନ୍ତ ଆଚାର୍ଯ୍ୟଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ସମସ୍ତ ବ୍ୟକ୍ତି ଓଏସଏପି ତୃତୀୟ ବାଟାଲିୟନ କର୍ମଚାରୀ । ଜବତ କାଠ ପଟା ଏବଂ ସାଇଜ୍ ଶାଗୁଆନ ବୋଲି ଜଣା ପଡିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ବନ ବିଭାଗ କହିଛି । ଆଜି(ଶୁକ୍ରବାର) ଏଡିଜି ତାଙ୍କ ଗସ୍ତ ସମୟରେ ବନ ବିଭାଗ କର୍ମଚାରୀଙ୍କୁ ସେସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ଓଏସଏପି ତୃତୀୟ ବାଟାଲିୟନର କମାଣ୍ଡଟ ଜୁରିଆ ବେହେରାଙ୍କୁ ମଧ୍ୟ ପଚରା ଉଚୁରା କରିଥିଲେ ।
ଏନେଇ ଫରେଷ୍ଟର ସୁବାଷ କଳିଙ୍ଗ ନିଜ ପ୍ରତିକ୍ରକ୍ରିୟାରେ କହିଛନ୍ତି ଯେ, ଏଡିଜି ଡାକିଥିବାରୁ ସେ ଏସପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ତାଙ୍କୁ ଗତ ୩ ତାରିଖର ପୋଲିସ ଗାଡିରୁ କାଠ ଜବତ ଘଟଣା ସମ୍ପର୍କରେ ପଚାରିଥିବା ସେ କହିଛନ୍ତି । ସେହିପରି ଓଏସଏପି ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଜୁରିଆ ବେହେରା କହିଛନ୍ତି ଯେ, କାଠ ବଜତ ଘଟଣାର ତଦନ୍ତ ଜାରି ରହିଛି । ତେଣୁ, ଏଡିଜି ତାଙ୍କୁ ମଧ୍ୟ ଏସମ୍ପର୍କରେ ପଚାରିଥିଲେ । ତେବେ ତଦନ୍ତ ସରିବା ପରେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ଯଦିଓ ଜବତ କାଠ ନିଜ ଘର କାମ ପାଇଁ ନେଉଥିବା ଡ୍ରାଇଭର ଶ୍ରୀଧର ମହାପାତ୍ର ସଫେଇ ଦେଇଛନ୍ତି, କିନ୍ତୁ ଏହି କାଠ ପ୍ରକୃତରେ ସେ ନେଉଥିଲେ ନା ଅନ୍ୟ କୌଣସି ଅଧିକାରୀ ଏହାକୁ ଚାଲାଣ କରାଉଥିଲେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ