ଗଜପତି: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ପାରଳାଖେମୁଣ୍ଡି ସହରର ୮୫ ବର୍ଷିୟ ବୃଦ୍ଧ ଲକ୍ଷ୍ମୀଚରଣ ପଟ୍ଟନାୟକ । ଏବେ ମାଗଣା ଯୋଗଶିକ୍ଷା ଦେଇ ନିରୋଗ ରହିବାର ସୂତ୍ର ଶିଖାଉଛନ୍ତି । ତେଣୁ ସେ ବର୍ତ୍ତମାନ ଯୁବପୀଢିଙ୍କ ଆଦର୍ଶ ପାଲଟିଯାଇଛନ୍ତି ।
ତାଙ୍କୁ ଦେଖିଲେ କେହି କହିବେନି ଯେ, ଏତେ ବୟସ ତାଙ୍କୁ । ଯୋଗ କରିବା ତାଙ୍କର ଗୋଟେ ନିଶା କହିଲେ କିଛି ଭୂଲ ହେବନାହିଁ । ସାଧାରଣତଃ ପରିଣତ ବୟସରେ ଲୋକେ ଘରେ ରହି ଆରାମ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ ଏହାର ବ୍ୟତିକ୍ରମ ହେଉଛନ୍ତି ଲକ୍ଷ୍ମୀଚରଣ ପଟ୍ଟନାୟକ । ପରିଣତ ବୟସରେ ବି ସେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରିଦେଇ ବାହାରିଯାଆନ୍ତି କୌଣସି ଏକ ଖୋଲା ସ୍ଥାନକୁ । ସେଠାରେ ନିଜ ଯୋଗାଭ୍ୟାସ କରିବା ସହ ଅନ୍ୟମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥାନ୍ତି । ବର୍ତ୍ତମାନ ସାରା ବିଶ୍ଵ ମହାମାରୀ ପାଇଁ ଚିନ୍ତିତ । କୋରୋନାରୁ ରକ୍ଷା ପାଇବା ପାଇଁ କିଛି ଅମାନିଆଙ୍କୁ ବାଦ ଦେଲେ ଅନ୍ୟମାନେ ଘରୁ ବାହାରକୁ ବାହାରିବା ପାଇଁ ସହାସ କରୁନାହାନ୍ତି । ସେଭଳି ସ୍ଥିତିରେ ଲକ୍ଷ୍ମୀଚରଣ ପ୍ରତିଦିନ ଭୋରୁ ଉଠି ଲୋକଙ୍କୁ ନିରୋଗ ରହିବାର ସୂତ୍ର ଶିଖାଇବା ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ଏକ ନିଆରା କାର୍ଯ୍ୟ ।
ସେ ଯୋଗ ଶିକ୍ଷା ଦେବା ସହ ଯୁବପିଢୀଙ୍କୁ ଖରାପ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖି ଜୀବନ ଗଠନ କରିବାକୁ ନୀତିଶିକ୍ଷା ପ୍ରଦାନ କରିଥାନ୍ତି । ଏନେଇ ଲକ୍ଷ୍ମୀଚରଣ କହନ୍ତି, ବୟସର ଅପରାହ୍ନରେ ବି ସେ ସୁସ୍ଥତାରେ ରହିବାର ମାର୍ଗ ହେଉଛି ଯୋଗ । ସେ ପୂର୍ବରୁ ପାନ ଗୁଟଖା ଭଳି ଅନେକ ଖରାପ ଅଭ୍ୟାସରେ ପଡିଥିଲେ । ଯାହାଦ୍ଵାରା ଶରୀରରେ ଅବନତି ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ହେଲେ ସେ ଯେବେ ଠାରୁ ଯୋଗ କଲେଣି ସେବେଠାରୁ ସବୁ କିଛି ଠିକରେ ଚାଲିଛି ।
ଲକ୍ଷ୍ମୀଚରଣଙ୍କର ନିର୍ଦ୍ଦିଷ୍ଟ କୌଣସି ଯୋଗକେନ୍ଦ୍ର ନାହିଁ । ଯେ କୌଣସି ଖୋଲାସ୍ଥାନ ହିଁ ତାଙ୍କ ଯୋଗ କେନ୍ଦ୍ର । ସକାଳୁ ଖୋଲା ଆକାଶ ତଳେ ଯୋଗାଭ୍ୟାସ କଲେ ସବୁଠାରୁ ଭଲ । କାରଣ ଏହି ସ୍ଥାନରେ ଆମ ଶରୀରକୁ ଭଲ ଅମ୍ଳଜାନ ମିଳିଥାଏ। ବର୍ତ୍ତମାନ କିଛିଦିନ ହେଲା ସେ ସ୍ଥାନୀୟ କଲେଜ ପରିସରରେ ଏହା କରୁଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ