ଢେଙ୍କାନାଳ: ନିର୍ବାଚନ ଫଳାଫଳକୁ ଅନେକ ମାସ ବିତିଲାଣି ହେଲେ ଏବେବି ସରୁନି ଆକ୍ରୋଶ ରାଜନୀତି । ସରିନାହିଁ ନିରୀହ ଭୋଟରଙ୍କ ଉପରେ ନିର୍ବାଚିତ ସରପଞ୍ଚଙ୍କ ଆକ୍ରୋଶ । ଏପରିକି ବିଜୟୀ ସରପଞ୍ଚ ସମର୍ଥକମାନେ ଅନ୍ୟ ଗୋଷ୍ଠୀଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନ ବିବାଦରୁ କେନ୍ଦ୍ରକରି ସରପଞ୍ଚ ସମର୍ଥକମାନେ ଆକ୍ରମଣ କରିବା ସହ ଗାଁ ଛାଡି ଯିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ଏହାସହ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।
ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବିପତ୍ର ଦେଇଛନ୍ତି । ତେବେ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ସଜାଗ ଅଛି ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି ।
ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି,‘‘ଲୋକଙ୍କ ସମସ୍ୟାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।’’
ଅଧିକ ପଢ଼ନ୍ତୁ: ନୂଆ ଚେହେରାଙ୍କୁ ଆକର୍ଷିତ କରିବାରେ କେଉଁ ଦଳ ଆଗରେ, ବିଜେଡି- ବିଜେପିକୁ ପଛରେ ପକାଇଲା କି କଂଗ୍ରେସ ?
ଆକ୍ରମଣର ଶିକାର ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନିର୍ବାଚନରେ ଭୋଟ ନଦେବା କାରଣରୁ ବିଜୟୀ ସରପଞ୍ଚଙ୍କ ସମର୍ଥକମାନେ ବାରମ୍ବାର ଆକ୍ରମଣ କରୁଛନ୍ତି । ମାରପିଟ କରିବା ସହ ଗାଁ ଛାଡି ଚାଲିଯିବାକୁ ଧମକ ମଧ୍ୟ ଦେଉଛନ୍ତି । ପୋଲିସଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଅଭିଯୋଗ କରିବାରୁ ଗତ ୨୦ତାରିଖରେ ଘରମାନଙ୍କରେ ପଶି ସରପଞ୍ଚଙ୍କ ସମର୍ଥକମାନେ ନିର୍ଦ୍ଧୁମ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ସୁରକ୍ଷା ପ୍ରଦାନ କରିବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦାବିରେ ଏସପିଙ୍କ ଦ୍ବାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛୁ ।
ଏହା ବି ପଢନ୍ତୁ: ଜିଲ୍ଲାପାଳଙ୍କୁ କୃଷି ସଚିବଙ୍କ ଚିଠି; ୩୧ ତାରିଖ ମଧ୍ୟରେ ଖରିଫ ଫସଲ ବୀମା କରାଇବା ପାଇଁ ପରାମର୍ଶ
ଇଟିଭି ଭାରତ, ଢେଙ୍କାନାଳ