ଢେଙ୍କାନାଳ: ଚୋରା କୋଇଲା କାରବାରକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ ସବୁବେଳେ ଚର୍ଚ୍ଚାରେ । ତାଳଚେରଠାରୁ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ଲାଣ୍ଟକୁ କୋଇଲା ଚାଲାଣ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ଭୁବନରେ ଶହଶହ କୋଇଲା ଗାଡିରୁ ବେଆଇନ ଭାବେ କୋଇଲା ଉତ୍ତୋଳନ ହେଉଛି । କିନ୍ତୁ ୫୩ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଏସଆର୍ ପେଟ୍ରୋଲ ପମ୍ପ ନିକଟରେ ପ୍ରତିଦିନ ସକାଳେ ଶହଶହ ଟ୍ରକରୁ କୋଇଲା ବେଆଇନ ଭାବରେ ସପ୍ଲାଇ ହେଉଛି ।
ଏଥିପ୍ରତି ଭୁବନ ପୋଲିସ ଚୁପ କାହିଁକି ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଗତ କିଛିଦିନ ହେଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳୀ ଗ୍ରାମ ଆମ୍ବ ବଗିଚା ନିକଟରେ ଚୋରା କୋଇଲା କାରବାର ବେଧଡକରେ ଚାଲିବା ସହିତ ୫୩ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଉଁଶକଣ ଗ୍ରାମ ନିକଟରେ ବେଆଇନ କୋଇଲା କାରବାର ଚାଲିଛି । ରାତିରେ କୋଇଲା ଅନଲୋଡ ହୋଇ ରାତାରାତି ଛୋଟଛୋଟ ଗାଡି ଲଗାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି ।
ଭୁବନରୁ ନିକଟସ୍ଥ ଡୁବୁରୀ, ଦାନଗଦି ଓ ଚଣ୍ଡିଖୋଲ ଆଦି ବହୁ ସ୍ଥାନକୁ ଏହି ଚୋରା କାରବାରର ଚେର ଲମ୍ବିଥିବା ବେଳେ ଜାତୀୟ ରାଜପଥ କଡରେ ହେଉଥିବା ବେଆଇନ କୋଇଲା କାରବାର ପ୍ରତି ଭୁବନ ପୋଲିସର ନିଷ୍କ୍ରିୟତା ଚୋରା କୋଇଲା ବେପାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ