ଢେଙ୍କାନାଳ: ସାରା ଦେଶରେ ନିଜର କଳା, ଐତିହ୍ୟ, ପରମ୍ପରା, ରୀତିନୀତି ଓ ଭିନ୍ନ ଚାଲି ଚଳଣୀ ପାଇଁ ବେଶ୍ ଖ୍ୟାତି ହାସଲ କରିଛି ଓଡିଶା । ରାଜ୍ୟ ଯେ କେବଳ କଳା ଓ ସଂସ୍କୃତିରେ ନିପୁଣ ତାହା ନୁହେଁ, ଏଠାରେ ଦେଖିବାକୁ ମିଳେ ପ୍ରକୃତିର ଅପରୂପ ଗନ୍ତାଘର । ଯେଉଁଥିରୁ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ନିଚ୍ଛକ ଛବି । ପାହାଡିଆ ପରିବେଶ ସହ ଘଞ୍ଚ ଜଙ୍ଗଲ ଓ ବନ୍ୟ ପ୍ରାଣୀରେ ଭରପୂର ଏହି ଜିଲ୍ଲାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରହିଛି ଅନେକ କିଛି । ହେଲେ ଆଜି ଆମେ କହୁଛୁ ସାତଟି ପାହାଡରେ ଘେରା, ଚିରସ୍ରୋତା ଝରଣାରେ ସଜ୍ଜିତ ଗାଁ, ‘ସପ୍ତଶଯ୍ୟା’ର କଥା । ମୁଖ୍ୟ ସହରଠାରୁ ମାତ୍ର 11 କିଲୋମିଟର ଦୂରରେ ସ୍ଥିତ ଏହି ଗାଁକୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି କୋଳରେ ଆଶ୍ରୟ ନେଇଛନ୍ତି ଏଠାକାର ବସବାସୀ ।
ସପ୍ତଶଯ୍ୟା କେବଳ ଭୌଗୋଳିକ ଦୃଷ୍ଟିକୋଣରୁ ନୁହେଁ ବରଂ ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ଖ୍ୟାତି ହାସଲ କରିଛି । ଯାହାକୁ ପାଖରୁ ଟିକେ ଦେଖିବା ସହ ଏଠାକାର କିମ୍ବଦନ୍ତୀ ଓ କଳା ଦେଖିବା ପାଇଁ କାହିଁ କେଉଁ ଆଡୁ ଧାଇଁ ଆସନ୍ତି ପର୍ଯ୍ୟଟକ । ସାତଟି ପାହାଡରେ ଘେରା ସପ୍ତଶଯ୍ୟା ଗାଁର ଠିକ ମଧ୍ୟଭାଗରେ ରହିଛି ଏଠାକାର ମୁଖ୍ୟ ଆକର୍ଷଣ ‘ରଘୁନାଥ ମନ୍ଦିର’ । ପାହାଡ ଉପରେ ରହିଥିବା ଏହି ମନ୍ଦିରରେ ପହଞ୍ଚିବାକୁ ହେଲେ ପାହାଡ କଟା ହୋଇ ତିଆରି ହୋଇଥିବା ଅଙ୍କା ବଙ୍କା ରାସ୍ତା ଦେଇ ଚାଲି ଚାଲି ଯିବାକୁ ହୁଏ । ଏହି ପାହାଡ ଏତେ ତୀଖ୍ଣ କି ଏହାକୁ ଚଢିବା ସମୟରେ ପ୍ରକୃତି ପ୍ରେମୀଙ୍କୁ ଟ୍ରେକିଂର ଅନୁଭୂତି ମିଳିଥାଏ ।
ଆଉ ଏହି ଟ୍ରେକିଂକୁ ଅଧିକ ଜୀବନ୍ତ କରେ ଶାନ୍ତ ସରଳ ପରିବେଶରେ ଗୁଞ୍ଜରି ଉଠୁଥିବା ଚିରସ୍ରୋତା ଝରଣାର କୁଳୁକୁଳୁ ନାଦ । ଏହି ଝରଣାର ସବୁଠାରୁ ବଡ କଥା ହେଉଛି କି ଏହି ଝରଣା ବାରମାସୀ ଚିରସ୍ରୋତା । ନା କେବେ ଖରାରେ ଏହି ଝରଣା ଶୁଖିଛି ନା କେବେ ଅତ୍ୟଧିକ ବର୍ଷାରେ ଏହା କୌଣସି ବିପଦ ସୃଷ୍ଟି କରିଛି । ସବୁବେଳେ ଶାନ୍ତ ଓ ସୌମ୍ୟତାର ସହ ଅବାଧ ଗତିରେ ବହି ଚାଲିଛି ଏହି ଝରଣା । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯିଏ ଥରେ ଉପଭୋଗ କରିଛି ସେ ବାରମ୍ବାର ଏହି ପ୍ରକୃତିର ସ୍ପର୍ଶ ଟିକେ ପାଇବା ପାଇଁ ଏଠାକୁ ଧାଇଁ ଆସିଛି । କେବଳ ମନ୍ଦିର ନୁହେଁ, ନୂଆବର୍ଷର ସମୟ ଆସିଲେ ଏଠାକାର ଜଙ୍ଗଲରେ ଜମେ ଆଖପାଖରୁ ଅନେକ ଲୋକଙ୍କ ଭିଡ । ନୂଆବର୍ଷର ଉଲ୍ଲାସରେ ଏହି ପରିବେଶରେ ଖୁବ ଜମେ ଲୋକଙ୍କ ବଣଭୋଜିର ମଜା ।
ଏହି ସ୍ଥାନକୁ ନେଇ ପୁରାଣରେ ଅନେକ ବର୍ଣ୍ଣନା ରହିଥିବା କୁହାଯାଏ । ଏନେଇ ଲୋକଶୃତି ରହିଛି କି 14ବର୍ଷର ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର, ମା’ ସୀତା ଓ ଲକ୍ଷ୍ମଣ ଏଠାରେ ସାତ ଦିନର ରହଣି କରିଥିଲେ । ଏଥିସହ ଏଠାରେ ସାତ ଜଣ ଋଷିଙ୍କର ଆଶ୍ରମ ରହିଥିବାରୁ ଏହାକୁ ସପ୍ତଶଯ୍ୟାର ଆଖ୍ୟା ଦିଆଯାଇଥିବା କୁହାଯାଏ । ଏନେଇ ରହିଥିବା ଅନ୍ୟ ଏକ ଲୋକଶୃତିରୁ ଜଣାଯାଏ କି 12 ବର୍ଷର ବନବାସ ସମୟରେ ପାଣ୍ଡବମାନେ ମଧ୍ୟ ଏଠାରେ ପ୍ରକୃତିର କୋଳର ଆଶ୍ରୟ ନେଇଥିଲେ ।
ଏହି ମନ୍ଦିରରୁ ନେଇ ଅନେକ ପୌରାଣିକ କଥା ଯୋଡି ରହିଥିବାରୁ ଏହାର ଏକ ଚିହ୍ନ ସ୍ବରୂପ ଢେଙ୍କାନାଳ ରାଜପରିବାରର ରାଣୀ ରତ୍ନପ୍ରଭା ଦେବୀ ସପ୍ତଶଯ୍ୟାର ଠିକ ମଧ୍ୟଭାଗରେ ରଘୁନାଥ ମନ୍ଦିରର ସ୍ଥାପନା କରିଥିଲେ । ଏଠାରେ ପ୍ରଭୁ ରାମ, ମାତା ସୀତା ଓ ଲକ୍ଷ୍ମଣକୁ ପୂଜାଯାଏ । ଏଥିସହ ଏହି ପାହାଡ କୋଳରେ ଏବେ ବି ସପ୍ତଋଷୀଙ୍କ ଆଶ୍ରମ ମଧ୍ୟ ଦେଖିବାକୁ ମିଳେ । ଏହି ପାହାଡରେ ଯେତେ ଉପରକୁ ଉପରକୁ ଚଢିବେ, ରାସ୍ତା ସେତିକି ସେତିକି କ୍ଷୀଣ ହୋଇଥିବା ଦେଖିବାକୁ ମିଳେ । ସମୟକ୍ରମେ ଏଠାରେ ମା’ କାଳୀଙ୍କର ଏକ ପ୍ରତିମୂର୍ତ୍ତୀ ମଧ୍ୟ ସ୍ଥାପନ କରାଯାଇଥିଲା ।
ଏହି ସ୍ଥାନର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ଉପଲବ୍ଧ ଔଷଧୀୟ ବୃକ୍ଷ । ଔଷଧ ପ୍ରସ୍ତୁତ ପାଇଁ ଏଠାରେ ଅନେକ ପ୍ରକାର ଚେରମୂଳି ଓ ଔଷଧୀୟ ବୃକ୍ଷ ରହିଥିବା ଦେଖିବାକୁ ମିଳେ । କେବଳ ସେତିକି ନୁହେଁ, ଏହି ଗାଁରେ ଥିବା ଆମ୍ବ ବଗିଚା ଓ ଶାଳ ବଗିଚା ମଧ୍ୟ ଅତି ଆକର୍ଷଣୀୟ । ଏସବୁ ବାଦେ ଏଠାରେ ଚତୁଃମାସିଆ ମୌସୁମୀ ଋତୁରେ ଜମେ ଲୋକଙ୍କର ସବୁଠାରୁ ଅଧିକ ଭିଡ । ଏହାପଛରେ ଥିବା କାରଣ ମଧ୍ୟ ବେଶ ରୋଚକ । ପ୍ରକୃତିର ଗର୍ଭରେ ଏହି ଗାଁଟି ଅବସ୍ଥାପିତ ଥିବାରୁ ମୌସୁମୀ ସମୟରେ ଏହା ଉତ୍ତରପୂର୍ବାଞ୍ଚଳର ଅନୁଭୂତି ଯୋଗାଇଥାଏ । ସପ୍ତଶଯ୍ୟା ମନ୍ଦିରକୁ ଯିବା ସମୟରେ ଭାସି ବୁଲୁଥିବା ମେଘକୁ ଦେଖିଲେ ଲାଗେ, ସତେ ଯେମିତି ବିନା ସ୍ପର୍ଶରେ ଶରୀରରେ କାକର ବିନ୍ଦୁ ବସିଯାଇଛି । ହେଲେ ଦୁଃଖର ବିଷୟ ଓଡିଶାରେ ଚେରାପୁଞ୍ଜିର ଅନୁଭବ ଯୋଗାଉଥିବା ଏହି ପର୍ଯ୍ୟଟନସ୍ଥଳ ବିଷୟରେ ଏବେ ବି ଅନେକ ଅଜ୍ଞ ।
ଏଠାରେ ଆଖିର ଦୃଶ୍ୟପଟ୍ଟ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଜଙ୍ଗଲ ଓ ଝରଣାର ଅତି ନମ୍ର ଢଙ୍ଗରେ ପୌରାଣିକ କାହାଣୀ କହିବା ଶୈଳୀ ସତରେ ବେଶ ହୃଦୟସ୍ପର୍ଶୀ । ତେବେ ଏହି ସପ୍ତଶଯ୍ୟା ମନ୍ଦିରର ନିକଟସ୍ଥ ଗାଁ ବଡଗିଲାରେ ମଧ୍ୟ ଏକି ଅଦ୍ଭୂତ ପରମ୍ପରା ବର୍ଷ ବର୍ଷ ଧରି ପାଳନ ହୋଇ ଆସୁଥିବା ଦେଖିବାକୁ ମିଳେ । ରାମଙ୍କ ଅବସ୍ଥିତିକୁ ନେଇ ଏଠାରେ ବେଶ ଧୁମଧାମରେ ରାମନବମୀ ପାଳନ ହେଉଥିବା ବେଳେ ପ୍ରତିବର୍ଷ ସ୍ବୟଂ ହନୁମାନ ମନୁଷ୍ୟ ଶରୀରରେ ଆସି ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ବାସ ରହିଛି । ରାମନବମୀ ଅବସରରେ ଗାଁ ଠାକୁରଘରେ ସନ୍ଧ୍ୟାକାଳୀନ ମାର୍ଜନା ପରେ ହନୁମାନ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଶରୀରରେ ଆସିଥାଆନ୍ତି । ଏହାପରେ ସେ ସମ୍ପୃକ୍ତ ସ୍ଥାନରେ ନୃତ୍ୟ କରିବା ସହ ହନୁମାନଙ୍କ ପରି କ୍ଷୀପ୍ର ବେଗରେ ଧାଇଁ ସପ୍ତଶଯ୍ୟା ପାହାଡକୁ ଯାଇଥାଆନ୍ତି । ସେଠାରେ କିଛି ସମୟ ବିତାଇବା ପରେ ଗାଁରେ ଘରେ ଘରେ ଥିବା କଦଳୀ ଗଛରୁ କାନ୍ଦି ତୋଳି ଆଣି ଖାଉଥିବାର ଦେଖାଯାଏ ।
ପ୍ରାକୃତିକ ସୌନ୍ଦର୍ଯ୍ୟ, ପୌରାଣିକ ବିଶ୍ବାସ ଓ ଅପୂର୍ବ ରୀତିନୀତିରେ ସମୃଦ୍ଧ ଏହି ସ୍ଥାନକୁ ଆବଶ୍ୟକ ତ ବାସ୍ କିଛି ସରକାରୀ ସାହାଯ୍ୟ । ତାହେଲେ ହୁଏତ ଜିଲ୍ଲାର ମୁଖ୍ୟ ଆକର୍ଷଣ ତଥା ଶୈବପୀଠ କପିଳାସ ପରି ସପ୍ତଶଯ୍ୟା ମଧ୍ୟ ପାଇପାରନ୍ତା ନିଜ ଅଧିକାରର ପରିଚୟ ଓ ପର୍ଯ୍ୟଟନ ଦୃଷ୍ଟିରୁ ବଢିପାରନ୍ତା ଜିଲ୍ଲାର ପରିସର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ