ଢେଙ୍କାନାଳ: ଜିଲ୍ଲା ଭୁବନ ରେଙ୍ଗାଲି ବାମପାର୍ଶ୍ବ କେନାଲରେ ମାଡ଼ିଲାଣି ପାଣି । ଏ ପର୍ଯ୍ୟନ୍ତ ମୃଦଙ୍ଗା ଗ୍ରାମର ଚାଷୀମାନେ କ୍ଷତିପୂରଣ ଟଙ୍କା ନ ପାଇ ହତାଶ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ୫୮୪୭ ହେକ୍ଟର ଜମିରେ ଖରିଫ ଜଳ ସେଚନ ପାଇଁ ନିର୍ମାଣ ହୋଇଛି ରେଙ୍ଗାଲି ବାମକେନାଲ ପ୍ରକଳ୍ପ ।
ଏହି ପ୍ରକଳ୍ପର ପାର୍ଶ୍ବ କେନାଲରୁ ୪୨ ଟି ମାଇନର- ସବମାଇନର କେନାଲ ନିର୍ମାଣ ଶେଷ ହୋଇଥିଲେ ହେଁ କେତେକ ସ୍ଥାନରେ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କେନାଲ ନିର୍ମାଣରେ ଯାଉଥିବା ଜମି ପାଇଁ କିଛି ଚାଷୀ କ୍ଷତିପୂରଣ ବାବଦକୁ ଟଙ୍କା ପାଇନଥିବାରୁ ଅସନ୍ତାଷ ଦେଖାଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ । ଏହି ଗ୍ରାମର ଖାତା ନମ୍ବର ୨୧୪ର କିଛି ଚାଷୀଙ୍କୁ ନୋଟିସ ନ ଲାଗିବା ସହ ଟଙ୍କା ମିଳି ନାହିଁ। ଚାଷୀମାନେ ବିଭାଗୀୟ କାର୍ଯ୍ୟାଳୟ ଦୌଡି ଦୌଡି ହତାଶ ହେଲେଣି ।
ତେବେ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । ଏହି କେନାଲ ଦ୍ବାରା ଭୁବନ ବ୍ଲକର ୨୦୨୧ ଖରିଫ ଋତୁରେ ୪୩ ଟି ଗ୍ରାମର ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଜଣାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ