ଢେଙ୍କାନାଳ: ନିଜ ଗାଡ଼ି ଚକାରେ ଦେଉଥିଲେ ପମ୍ପ। ଆଉ ଏକ ଟ୍ରକ ଚଢି ଯିବାରୁ ଘଟଣାସ୍ଥଳରେ ଟାଟା ଏସି ଡ୍ରାଇଭରର ଚାଲିଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ବଳଦିଆବନ୍ଧ ଛକ ନିକଟରେ । ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ସୁଶାନ୍ତ ନାୟକ । ଗତ ରାତିରେ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବଳଦିଆବନ୍ଧରେ ଏକ ଟାୟାର ରିପ୍ୟାରିଂ ଦୋକାନରେ ସୁଶାନ୍ତ ଚଳାଉଥିବା ଏକ ଟାଟା ଏସିରେ ପମ୍ପ ଦେଉଥିଲେ ।
ମାତ୍ର ଏନଏଚରେ ଏକ ଟ୍ରକ ଦ୍ରୁତବେଗରେ ଆସି ଚକ ପାଖରେ ଥିବା ସୁଶାନ୍ତଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତାକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାପଡିଛି । ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ପଳାଇଯାଇଥିବା ସୂଚନା ମିଳିଛି।