ଢେଙ୍କାନାଳ: ରଜ ଉତ୍ସବ ପାଇଁ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦେବାଳୟ ଓ ନିର୍ଦ୍ଦିଷ୍ଟ ଅଞ୍ଚଳମାନଙ୍କରେ 144 ଧାରା ଲାଗୁ କରିଛନ୍ତି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ଏମିତିରେ ଲୋକେ ଅଧିକ ସତର୍କ ହେବେ କ’ଣ ଓଲଟା ବଜାରରେ ଜମୁଛି ଖଚାଖଚ ଭିଡ । ନୂଆ କପଡା କିଣିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ କିଣିବା ଆଳରେ ଲୋକେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ରଜ ଭିଡକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାରେ 4 ଦିନ ପାଇଁ 144 ଧାରା ଲାଗୁ କରିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ । ହେଲେ ପ୍ରଶାସନର କଟକଣାକୁ ଆଖି ଠାର ମାରିବା ପରି ସହରର ବିଭିନ୍ନ ସପିଂ ମଲ ଓ ଶୋ ରୁମମାନଙ୍କରେ ଦେଖିବାକୁ ମିଳିଛି ଲୋକଙ୍କ ପ୍ରବଳ ଭିଡ । ଏମିତିରେ ବଳି ପଡିଯାଉଛି ସାମାଜିକ ଦୂରତା ନିୟମ । ଦୋକାନରେ ପ୍ରବେଶ ପୂର୍ବରୁ ସାନିଟାଇଜ କରିବାର ନିୟମ ରହିଥିବା ବେଳେ ଏହି ନିୟମକୁ ବେଖାତିର କରି ଲୋକେ ଦଳ ଦଳ ହୋଇ ଭିଡ ଜମାଉଥିବା ଦେଖାଯାଉଛି ।
ଏମିତିରେ ଜିଲ୍ଲା ପ୍ରଶାସନକୁ ଅଧିକ କଠୋର ହେବାର ଆବଶ୍ୟକତା ରହିଥିବା ଅନେକ ନାଗରିକ ଚିନ୍ତା ପ୍ରକଟ କରି କହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ