ଢେଙ୍କାନାଳ: ଭୋଟ ନଦେବାରୁ ଗାଁ ରାସ୍ତା କାଟିଦେବା ଘଟଣା । ଗତ କିଛିଦିନ ହେଲା ପଣବନ୍ଦୀ ଜୀବନ ବିତାଉଛନ୍ତି ଢେଙ୍କାନାଳ ଜିଲ୍ଲା ପର୍ବତକଣି ଗ୍ରାମବାସୀ । ଏ ନେଇ ସେମାନେ ଗଁନ୍ଦିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗ୍ରାମବାସୀଙ୍କ ପ୍ରତିବାଦ ପରେ ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇ ୭ଦିନ ମହଲତ ନେଲା ସ୍ଥାନୀୟ ପ୍ରଶାସନ ।
ଦୀର୍ଘ ବର୍ଷ ଧରି ନାନା ସମସ୍ୟା ଭୋଗୁଥିବା ଗ୍ରାମବାସୀ ଗତ ନିର୍ବାଚନରେ ଭୋଟ ନଦେବାରୁ ହୋଇଛନ୍ତି ଆକ୍ରୋଶର ଶିକାର । ପରାଜିତ ସରପଞ୍ଚ ଓ ସମର୍ଥକ ଗାଁ ମୁଖ୍ୟ ରାସ୍ତାକୁ କାଟି ଦେଇଥବାରୁ ଗତ କିଛି ଦିନ ହେଲା ପଣବନ୍ଦୀ ଜୀବନ ବିତାଉଛନ୍ତି ପର୍ବତକଣି ଗ୍ରାମବାସୀ । ଏହାପରେ ଗ୍ରାମବାସୀ ଗଁନ୍ଦିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ଦ୍ବାରା ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ଦାବି ମୁତାବକ ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ସହ ୭ଦିନ ମହଲତ ନେଉଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି ।
ସ୍ବାଧୀନତାର ୭୫ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତାଘାଟ, ପାନୀୟ ଜଳ ଓ ଶିକ୍ଷା ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି ପର୍ବତକଣି ଗ୍ରାମବାସୀ । ଅନେକ ବାର ନେତା ମନ୍ତ୍ରୀଙ୍କୁ ଗୁହାରି କରି ମଧ୍ୟ ବିଫଳ ହୋଇଛନ୍ତି । ଫଳରେ ଗତ ପଞ୍ଚାୟତ ନିର୍ବାଚନରେ ମତ ବଦଳାଇ ନୂଆ ସରପଞ୍ଚ ବାଛିଛନ୍ତି । ତେବେ ଏଥିପାଇଁ ଗ୍ରାମବାସୀଙ୍କୁ ରାଜନୈତିକ ଆକ୍ରୋଶର ଶିକାର ହେବାକୁ ପଡିଛି । ଏପରିକି ଏହି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତାକୁ କାଟି ଦେବା ସହ ଧମକ ଚମକ ଦିଆଯାଇଛି ।
ଏହା ବି ପଢନ୍ତୁ- ଅଫିସରୁ ମିଳିଲା ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ
ଫଳରେ ପ୍ରାୟ ଗତ ୨୦ଦିନ ହେଲା ଗ୍ରାମବାସୀ ଏକ ପ୍ରକାର ପଣବନ୍ଦୀ ଜୀବନ ବିତାଉଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସବୁଠାରୁ ସ୍ଥାନୀୟ ନିହଲପ୍ରାସଦ ଥାନା, ବିଡ଼ିଓ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଏସପି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଗୁହାରି ସତ୍ତ୍ବେ କେହି ଗ୍ରାମବାସୀଙ୍କ ଦୁଃଖ ଶୁଣିନଥିବା ଅଭିଯୋଗ ହୋଇଛି । ଶେଷରେ ଗାଁର କୁନି କୁନି ପିଲାଙ୍କ ଠାରୁ ବୃଦ୍ଧବୃଦ୍ଧାଙ୍କ ସମସ୍ତେ ଗଁନ୍ଦିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ରାସ୍ତା କାଟିଦେଇଥିବାରୁ ଗତ ୨୦ଦିନ ଧରି ପଣବନ୍ଦୀ ଜୀବନ ବିତାଉଥିବା ଗ୍ରାମବାସୀ ନାହିଁ ନଥିବା ସମସ୍ୟାରେ ହନ୍ତସନ୍ତ ହେଉଥିଲେ ।
ମାତ୍ର ଆନ୍ଦୋଳନ ଭଣ୍ଡୁର କରିବା ପାଇଁ ଗତକାଲି ତରବରିଆ ଭାବେ ଖୋଲାଯାଇଥିବା ଜାଗାରେ ଗଁନ୍ଦିଆ ତହସିଲ ପକ୍ଷରୁ ମାଟି ପକାଇ ସମସ୍ୟାରେ ତାଳି ପକାଇଦେଇଥିବା ଜଣାପଡିଛି । ମାତ୍ର ଏହାର ସ୍ଥାୟୀ ସମାଧାନ ଓ ରାସ୍ତା ଖୋଳିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ ମୁଖ୍ୟ ଫାଟକ ଅବରୋଧ କରିବା ସହ ଗଣଧାରଣା ଦେଇ ଅଡି ବସିଥିଲେ ଗ୍ରାମବାସୀ । ଆଉ ଗ୍ରାମବାସୀଙ୍କୁ ସମର୍ଥନ କରି ସ୍ଥାନୀୟ ସରପଞ୍ଚ ମଧ୍ୟ ଆନ୍ଦୋଳନରେ ସାମିଲ ଥିଲେ । ଗ୍ରାମବାସୀଙ୍କ ଏହି ପ୍ରତିବାଦ ଓ ଗଣଧାରଣା ଯୋଗୁଁ ବ୍ଲକ କାର୍ଯ୍ୟାଳୟକୁ କର୍ମଚାରୀ ମାନେ ପଶି ନପାରି ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଥିଲା ।
ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ନିହଲପ୍ରସାଦ ଓ ଗଁନ୍ଦିଆ ଥାନା ପୋଲିସ ମୁତୟନ ହୋଇଥିଲେ । ଏ ସଂକ୍ରାନ୍ତରେ ପୋଲିସ, ତହାସିଲଦାରଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ରାସ୍ତାର ସ୍ଥାୟୀ ସମାଧାନ କରାଯିବାର ପ୍ରତିଶୃତି ଦେଇଥିବା ସହ ୭ଦିନ ସମୟ ନେଇଥିବା କରିଛନ୍ତି ଗଁନ୍ଦିଆ ବିଡ଼ିଓ । ତେବେ ପ୍ରଶାସନର ଏହି ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଛନ୍ତି ଗ୍ରାମବାସୀ । ସ୍ଥାୟୀ ରାସ୍ତା ସମେତ ନାନା ସମସ୍ୟାରେ ସନ୍ତୁଳି ହେଉଥିବା ଏହି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପ୍ରଶାସନ ପକ୍ଷରୁ ତୁରନ୍ତ କରାଯିବା ଜରୁରୀ ହୋଇପଡିଛି ।
ଇଟିଭି ଭାରତ, ଢେଙ୍କାନାଳ