ଢେଙ୍କାନାଳ : ଦନ୍ତା ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ ବନାଞ୍ଚଳ ଖଣ୍ଡୁଆଳ ମୁଣ୍ଡାର ଉପେନ୍ଦ୍ର ଅମାନ୍ତ। ଘଟଣାସ୍ଥଳରେ ରେଞ୍ଜର ଓ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି ।
ସୂଚନା ଅନୁସାରେ, ଉପେନ୍ଦ୍ର ସନ୍ଧ୍ୟାରେ ଧାନ ଚାଷ କରିଥିବା ବିଲକୁ ଯାଇଥିବାବେଳେ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନଥିଲେ । ଆଜି ସକାଳୁ ବିଲ ଭିତରୁ ତାଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ହାତୀ ତାଙ୍କୁ ଦଳି ଦେଇଥିବା ଅଭିଯୋଗ ହୋଇଛି ।
ବର୍ଷ ତମାମ ହାତୀମାନଙ୍କ ଉପଦ୍ରବ ଏହି ଅଞ୍ଚଳରେ ଲାଗି ରହିଥିବାବେଳେ ଚାଷ ସମୟ ଆସିଲେ ହାତୀଙ୍କ ଉପଦ୍ରବ ବଢିଯାଇଥାଏ। ଫଳରେ ହାତୀ ଆକ୍ରମଣ ବା ଉପଦ୍ରବ ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏହି ଅଞ୍ଚଳରେ ଶତାଧିକ ହାତୀ ସର୍ବଦା ରହିଥିବାର ବନବିଭାଗ ତରଫରୁ ମଧ୍ୟ ସୂଚନା ରହିଛି । ବାରମ୍ବାର ହାତୀମାନଙ୍କ ଉପଦ୍ରବ ଲାଗି ରହିଥିବାରୁ ଘର ଭାଙ୍ଗିବା ସହିତ ଚାଷ ଜମି ମଧ୍ୟ ନଷ୍ଟ ହେଉଛି। ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ