ଢେଙ୍କାନାଳ: ଜିଲ୍ଲାରେ ରହିଛି ସାତ ମହଲା ବିଶିଷ୍ଟ ସୁଉଚ୍ଚ ମୁଖ୍ୟ ଚିକିତ୍ସାଳୟ । ସକାଳ ହେଲେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଶହ ଶହ ଲୋକଙ୍କ ଏଠାକୁ ସମାଗମ ହୋଇଥାଏ । ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଏଠାରେ ସରକାର ଯୋଗାଇ ଦେଇଛନ୍ତି ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି । ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ କିନ୍ତୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ସାଧାରଣ ରୋଗୀ ଟିଏ । ଫଳରେ ଚିକିତ୍ସାରେ ଅବହେଳା ନେଇ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ଡାକ୍ତର ଖାନାରେ ଏବେ ଉତ୍ତେଜନା ପ୍ରକାଶ ପାଇଛି ।
ଗତକାଲି ଢେଙ୍କାନାଳ ମୁଖ୍ୟ ଡାକ୍ତଖାନାରେ ଜିଲ୍ଲା ଓକିଲ ସଂଘ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚଢ଼ାଉ କରାଯାଇ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଏଠାରେ ରୋଗୀ ସେବା ତ ଦୂରରେ ଥାଉ, ଠିକରେ ଡାକ୍ତର ଓ କର୍ମଚାରୀ ମାନେ ଡାକ୍ତରଖାନାକୁ ଆସୁନଥିବାରୁ ରୋଗୀ ମନେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଚାହିଁ ରହୁଥିବା ଦେଖିବାକୁ ମିଳିଛି । ଯାହାକୁ ତୀଵ୍ର ବିରୋଧ କରିଛି ଜିଲ୍ଲା ଓକିଲ ସଂଘ।
ଗତାକାଲି ସକାଳ 8ଟା 30 ମିନିଟ ସମୟରେ ଜିଲ୍ଲା ଓକିଲ ସଂଘ ସହ ଜିଲ୍ଲା ବାଣିଜ୍ୟ ସଂଗଠନ ଓ ଜିଲ୍ଲା ସାମ୍ବାଦିକ ସଂଘ ସମେତ ବିଭିନ୍ନ ସଂଗଠନ ଚଢାଉ କରିଥିଲେ । ଏହି ସମୟରେ ଶିଶୁ ବିଭାଗ, ଭେଷଜ ବିଭାଗ, ଅସ୍ଥି ଓ ଶଲ୍ୟ ଆଦି ବିଭାଗରେ ତାଲା ପଡିଥିବା ଦେଖିବାକୁ ମିଳିଥିବା ବେଳେ ଜଣେ ବି ଡାକ୍ତର ଡାକ୍ତରଖାନାକୁ ଆସିନଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହସ୍ପିଟାଲ ଅଧିକ୍ଷକ ଓ ପରିଚାଳକଙ୍କ ଦେଖା ମିଳିନଥିବା ବେଳେ ତାଙ୍କ ଚାମ୍ବରରେ ତାଲା ଝୁଲୁଥିଲା । ଏହି ସହୁ ଦୃଶ୍ୟ ଦେଖିବା ପରେ ଡାକ୍ତରଖାନାରେ ରୋଗୀ ସେବା କିପରି ଚାଲୁଛି ତାହା ସ୍ପଷ୍ଟ ବାରି ହୋଇପଡିଥିଲା ।
ସେପଟେ ମାଗଣା ଖାଦ୍ୟ ପ୍ରଦାନରେ ବ୍ୟାପକ ଅବହେଳା କରାଯାଉଥିବାରୁ ରୋଗୀ ମାନେ ଭୋକ ଉପାସରେ ରହୁଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ ଡାକ୍ତରଖାନାରେ ରୋଗ ପରୀକ୍ଷା ପାଇଁ ସରକାର ଯୋଗାଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି କାମରେ ନଲାଗି ଖତ ଖାଉଥିବା ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପରି ସ୍ଥିତି ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କଡା ତାଗିଦ କରିବା ସହ ତୁରନ୍ତ ମନୋବୃତ୍ତି ବଦଳାଇ ରୋଗୀ ମାନଙ୍କୁ ସଠିକ ସେବା ଯୋଗାଇବାକୁ ତାଗିତ କରିଥିଲେ ସମସ୍ତ ସଂଗଠନର ସଦସ୍ୟ । ନଚେତ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ । ତେବେ ଖୁବ ଶୀଘ୍ର ପଡିରହିଥିବା ଯନ୍ତ୍ରପାତି କାର୍ଯ୍ୟକାରୀ କରାଯିବ ସହ ରୋଗୀ ସେବା ତଥା ଡାକ୍ତରଖାନାର କର୍ମଚାରୀ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ଇଟିଭି ଭାରତ,ଢେଙ୍କାନାଳ