ବଲାଙ୍ଗୀର: ଜୁଆ ନେଲା ଜୀବନ । ଜୁଆ ଖେଳ ପାଇଁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ । ତଦନ୍ତ ପାଇଁ ଆସିଥିବା ପୋଲିସକୁ ଘେରିଲେ ଗ୍ରାମବାସୀ । ବେଆଇନ ମଦ ବିକ୍ରି ସାଙ୍ଗକୁ ଜୁଆ ଖେଳ ହେଉଥିବା ବାରମ୍ବାର ଅଭିଯୋଗ କରିଥିଲେ ଗ୍ରାମବାସୀ । କିନ୍ତୁ ସେ ଦିଗ ପ୍ରତି କୌଣସି ପଦକ୍ଷେପ ନନେବାରୁ ଏହି ଭଳି ଅଘଟଣ ଘଟିଥିବା କହିଛନ୍ତି ଗ୍ରାମବାସୀ ।
ବଲାଙ୍ଗୀରରେ ଜୁଆ ଖେଳ ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ସେପଟେ ତଦନ୍ତ ପାଇଁ ଗାଁକୁ ଯାଇଥିବା ପୋଲିସକୁ ଘେରିଛନ୍ତି ଗ୍ରାମବାସୀ । ଗାଆଁରେ ଏବେବି ତୀବ୍ର ଉତ୍ତେଜନା ଲାଗି ରହିଛି । ତେବେ ଏଭଳି ଅଭିଯୋଗ ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଛତା ପିପଲ୍ ଗ୍ରାମରୁ ଆସିଛି । ତେବେ ଏହି ଗାଁର ଜଣେ ବ୍ୟକ୍ତି କାଳୁଦୀପ ଗତ 11 ତାରିଖରୁ ନିଖୋଜ ଥିଲେ । ତେବେ ଆଜି ତାଙ୍କର ମୃତଦେହ ସ୍ଥାନୀୟ ଏକ ପୋଖରୀରୁ ଉଦ୍ଧାର ହୋଇଛି । ସେପଟେ ତାଙ୍କୁ ଶେଷ ଥର ଏହି ପୋଖରୀ ହୁଡ଼ାରେ କିଛି ବ୍ୟକ୍ତିଙ୍କ ସହ ଜୁଆ ଖେଳୁଥିବାର ଲୋକେ ଦେଖିଥିଲେ । ସେହିଦିନ ଠାରୁ ସେ ନିଖୋଜ ଥିବା ବେଳେ ପରିବାର ଲୋକ ପୁଇନ୍ତଲା ଥାନାରେ ନିଖୋଜ ଅଭିଯୋଗ ଦେଇଥିବା କରିଛନ୍ତି । ସେପଟେ ଆଜି ତାଙ୍କର ମୃତଦେହ ପାଣିରେ ଭାସୁଥିବାର କିଛି ଗ୍ରାମବାସ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ !
ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ତଦନ୍ତ ଆରମ୍ଭ କରିବା ପାଇଁ ଯାଇଥିଲେ । ତେବେ ସେହି ସମୟରେ ଗ୍ରାମବାସୀ ପୋଲିସର ନିଷ୍କ୍ରିୟତାକୁ ନେଇ ଥାନା ଅଧିକାରୀଙ୍କୁ ଘେରିଥିଲେ । ତେବେ ଗାଆଁରେ ଦୀର୍ଘ ଦିନରୁ ଜଣେ ବ୍ୟକ୍ତି ବେଆଇନ ମଦ ବିକ୍ରି କରିବା ସହ ଏଠି ସବୁ ଦିନ ଜୁଆ ଖେଳ ହେଉଥିବାର ବାରମ୍ବାର ଅଭିଯୋଗ କରାଯାଇଛି । ଅଭିଯୋଗ ମିଳିବା ସତ୍ତ୍ୱେ ପୋଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି କାଳୁଦୀପ ମଧ୍ୟ ଅନ୍ୟମାନଙ୍କ ସହ ମିଶି ଜୁଆ ଖେଳିବା ପରେ ତାଙ୍କୁ ହତ୍ୟା କରି ଏହି ପୋଖରୀରେ ଫିଙ୍ଗି ଦିଆଯାଇଥିବାର ପରିବାର ଲୋକେ ତଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ସହ ଏଠି ଚାଲିଥିବା ବେଆଇନ କାର୍ଯ୍ୟ କଲାପ ଶୀଘ୍ର ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ତେଣୁ ତଦନ୍ତ ପାଇଁ ଆସିଥିବା ପୋଲିସକୁ ଘେରିବା ସହ ଗାଆଁରେ ଧାରଣା ଦେଇଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ବଲାଙ୍ଗୀର