ଢେଙ୍କାନାଳ: ଢେଙ୍କାନାଳ ସହରରେ ଅଭାବନୀୟ ଘଟଣା । ନିଜର ଅଶ୍ଳୀଳ ଭିଡିଓ ଭାଇରଲ ହେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କର ଆତ୍ମହତ୍ୟା ଜନିତ ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି । ଝୁଲନ୍ତା ଅବସ୍ଥାରେ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳର କାଲ ଟାକ୍ସ ଫାଣ୍ଡି ଅଞ୍ଚଳର ଏପରି ଅଘଟଣ ବେଶ ଆଲୋଡନ ସୃଷ୍ଟି କରିଛି । ପରିବାର ଲୋକ ଝୁଲନ୍ତା ଅବସ୍ଥାରେ ଝିଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହସ୍ପିଟାଲ୍ରେ ନାବଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିବା ବେଳେ ଏନେଇ ଖବର ପାଇ ଟାଉନ ଥାନା ପୋଲିସ ଚିକିତ୍ସାଳୟରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିଛି ।
ନାବାଳିକାଙ୍କ ଭିଡିଓ ସେହି ଅଞ୍ଚଳର ବସ୍ତିର ଜଣେ ନାବାଳକ ଭାଇରାଲ କରିଥିିବା ଜଣା ପଡ଼ିଛି । ଭିଡିଓ ଭାଇରାଲ୍ ହେବାପରେ ଲୋକଲଜ୍ୟା ସହି ନପାରି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି । ଏଥିସହ ନାବାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଝିଅକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଘଟଣାରେ ସଂପୃକ୍ତ ନାବାଳକକୁ ଅଟକରଖି ପଚରାଉଚରା କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ସେପଟେ ଆଜି ଜଣାଶୁଣା ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ବର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଖାରବେଳ ନଗର ସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ପାଇଁ ଜୀବନ ହାରିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ପରିବାର ଲୋକ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଖାରବେଳ ନଗର ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ।
ତେବେ ସେ ଗତ କିଛି ବର୍ଷ ଧରି ଖାରବେଳ ନଗରର ପ୍ରେସ କଲୋନିରେ ରହି ଆସୁଥିଲେ । ଅନେକ ପାର୍ଟି ଇଭେଣ୍ଟ ଓ ଡିଜେ ନାଇଟରେ ତାଙ୍କ ଡିଜେ ପରିବେଶଣ ପାଇଁ ବେଶ ଚର୍ଚ୍ଚିତ ରହିଥିଲେ । ଓଡିଆ ଗୀତକୁ ନିଜ ଷ୍ଟାଇଲରେ ଗାଇ ବେଶ ପରିଚିତ ହୋଇପାରିଥିଲେ ଆଜେକ୍ସ । ସମ୍ବଲପୁରୀ ଗୀତକୁ ତଡକା ଦେଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି । ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଶୁଭେଚ୍ଛୁ । ପ୍ରେମ ପାଇଁ ଜୀବନ ହାରିଥାଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି ।
ଇଟିଭି ଭାରତ, ଢେଙ୍କାନାଳ