ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗରସ୍ଥିତ ସାରଙ୍ଗଧର ହାଇସ୍କୁଲକୁ ପରିଦର୍ଶନରେ ଆସିଛନ୍ତି ଗୁଇନ୍ଦା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଏବଂ ଗଣଶିକ୍ଷା ବିଭାଗ ସଚିବ । ମୋ ସ୍କୁଲ ଅଭିଯାନରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସର୍ବପୁରାତନ ସ୍କୁଲ, ସାରଙ୍ଗଧର ହାଇସ୍କୁଲକୁ ଗୁଇନ୍ଦା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଅନୁପ ସାହୁ ଓ ଶିକ୍ଷାବିଭାଗର ସଚିବ ସତ୍ୟବ୍ରତ ସାହୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପରେ ପରିଦର୍ଶନରେ ଆସିଛନ୍ତି ।
ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇଥିବାବେଳେ ସ୍କୁଲର ଭିତ୍ତିଭୂମି କିଭଳି ଭାବରେ ଉନ୍ନତି ହୋଇପାରିବ, ସେନେଇ ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ତରଫରୁ ଜାରି ରହିଥିବା କହିଛନ୍ତି । ଡିଆଇଜି ଅନୁପ ସାହୁ ମଧ୍ୟ ସ୍କୁଲର ଛାତ୍ରଛାତ୍ରୀ ଆଗାମୀ ଦିନରେ କିଭଳି ରାଜ୍ୟସ୍ତରରେ ନିଜର ପ୍ରତିଭା ଦେଖାଇବ ସେନେଇ ବିସ୍ତୃତ ଭାବରେ ଆଲୋକପାତ କରାଇଥିଲେ । ମୋ ସ୍କୁଲ ଅଭିଯାନରେ ଏବେ ରାଜ୍ୟରେ ପ୍ରତ୍ୟେକ ସ୍କୁଲର ଉନ୍ନତି ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଏହାକୁ ୫ଟି ଅଧିନକୁ ଆଣିଥିବା କହିଛନ୍ତି । ଏହା ସହିତ ସ୍କୁଲରୁ କିଭଳି ବହୁ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀ ବାହାରିପାରିବେ ସେ ବିଷୟରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।
କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ସମସ୍ତ ବ୍ଲକର ବିଇଓ ଏବଂ ସ୍କୁଲର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସ୍କୁଲକୁ ୭୫ବର୍ଷ ପୂରଣ ହେଉଥିବାରୁ ଏହି ବର୍ଷ ହୀରକ ଜୟନ୍ତୀ ପାଳନ କରାଯାଉଥିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ