ଢେଙ୍କାନାଳ : ଗାଧୋଇବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।
ମୃତକ ଜଣକ ହେଲେ ମହୁଲପାଳ ଗ୍ରାମର ମୁରଲୀଧର ସାହୁ । ସେ ଆଜି(ଗୁରୁବାର) ଗ୍ରାମର ନୂଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତାଙ୍କୁ ଗାଧୋଉଥିବାର କିଛି ଗ୍ରାମବାସୀ ଦେଖିଥିଲେ । ବିଳମ୍ବିତ ହେବାରୁ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ପୋଖରୀର ଗାଧୁଆ ତୁଠରେ ପହଞ୍ଚି ମୁରଲୀଧରଙ୍କୁ ପାଣିରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା କରାଯାଇଥିଲା ।
ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ