ଢେଙ୍କାନାଳ: ଆଉ ଦୁଇଦିନ ପରେ ସାବିତ୍ରୀ । ୪ର୍ଥ ପର୍ଯ୍ୟାୟ ଲକଡାଉନରେ ଢେଙ୍କାନାଳରେ କୋହଳ ଯୋଗୁଁ ବଜାର ରହିଛି ଚଳଚଞ୍ଚଳ । ହେଲେ ବ୍ୟବସାୟ ମାନ୍ଦା । ଏପରିସ୍ଥଳେ ସାବିତ୍ରୀ ବ୍ରତରେ ଦି’ ପଇସା ବେପାର କରିବା ପାଇଁ ଆଶା ବାନ୍ଧିଥିବା ବ୍ୟବସାୟୀଙ୍କ ଉପରେ ଲକଡାଉନର ପ୍ରଭାବ ପରିଲକ୍ଷିତ ହୋଇଛି ।
ସାବିତ୍ରୀ ବ୍ରତରେ ବ୍ୟବସାୟୀଙ୍କର ଭଲ ରୋଜଗାର ହୁଏ ବୋଲି ବର୍ଷ ତମାମ ଏହି ଦିନକୁ ଅପେକ୍ଷା କରନ୍ତି ବ୍ୟବୟାସୀ । ହେଲେ ଚଳିତ ବର୍ଷ ମହାମାରୀ କୋରୋନା ମାଡରେ ବ୍ୟବସାୟ ମାନ୍ଦା । ଲୁଗା, କସ୍ମେଟିକ ଓ ଫଳ ଦୋକାନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମହାମାରୀ କୋରନାର କଟକଣାରେ ଲକଡାଉନ ଯୋଗୁଁ ଏହି ବ୍ୟବସାୟ ଯଥେଷ୍ଟ ପ୍ରଭାବିତ ହୋଇଛି । ତେବେ ଲକତାଡନର ୪ର୍ଥ ପର୍ଯ୍ୟାୟରେ ଢେଙ୍କାନାଳରେ କଟକଣା କୋହଳ ଯୋଗୁଁ ଏହି ବଜାରକୁ କିଛିଟା ଗ୍ରାହକଙ୍କ ଆଗମନ ଘଟିଛି । ତଥାପି ଗ୍ରାହକମାନଙ୍କ ମନରୁ ଲକଡାଉନ କଟକଣାର ଭୟ ଛାଡିନଥିବା ପ୍ରକାଶ କରୁଛନ୍ତି । ଫଳରେ ଫଳ ବ୍ୟବସାୟୀମାନେ ସାବିତ୍ରୀ ପାଇଁ ବିଭିନ୍ନ କିସମର ଫଳର ପସରା ମେଲିଥିଲେ ମଧ୍ୟ ବେପାର କିନ୍ତୁ ସମ୍ପୂର୍ଣ୍ଣ ମାନ୍ଦା ପଡିଯାଇଥିବା ପ୍ରକାଶ କରିଛନ୍ତି କିଛି ବ୍ୟବସାୟୀ ।
ସେପଟେ ଲୁଗା ଦୋକାନରେ ମଧ୍ୟ ଅନୁରୁପ ଅବସ୍ଥା ଦେଖିବାକୁ ମିଳିଛି । ଲକଡାଉନ ଯୋଗୁଁ ବଡ଼ ସପିଂମଲ ଗୁଡିକ ବନ୍ଦ ରହିଥିବା ବେଳେ ଛୋଟମୋଟ ଦୋକାନ ସବୁ ଖୋଲା ରହିଥିବା ଦେଖାଯାଇଛି । ଯେହତୁ ସାବିତ୍ରୀରେ ନୂଆ ଲୁଗା ପୂଜାର ବିଧି ରହିଛି ସେଥିପାଇଁ ଭଲ ଲୁଗା ବେପାର ପାଇଁ ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ମାତ୍ର ଲକଡାଉନର କୋହଳ ସତ୍ତ୍ବେ ଏମାନଙ୍କୁ ଦୋକାନ ଖୋଲିବା ପାଇଁ ଦିନ ୨ଟା ମଧ୍ୟରେ ସମୟ ନିର୍ଘଣ୍ଟ କରଯାଇଛି । ତେଣୁ ଏମାନଙ୍କ ବେପାରକୁ ପୁରା ମାନ୍ଦା କରିଦେଇଛି ଏହି କୋରୋନା ।
ସେପଟେ ସାବିତ୍ରୀ ବ୍ରତର ପ୍ରଭାବ ଅନୁଭୁତ ହୋଇଛି କସମେଟିକ ଦୋକାନ ମାନଙ୍କରେ । ଚୁଡି, ଶଙ୍ଖା ସିନ୍ଦୁର ଓ ଅଳତା ଆଦି କସମେଟିକ ସାମଗ୍ରୀ କିଣିବାକୁ ସାମାନ୍ୟ ସମାଗମ ଅନୁଭୁତ ହେଉଥିଲେ ମଧ୍ୟ ସାମାଜିକ ଦୂରତାର କଡା କଟକଣା ଏମାନଙ୍କ ବେପାରକୁ ପୁରା ବେଙ୍ଗା କରିଦେଇଛି । ଗୋଟିଏ ପଟେ ଦୋକାନ ବଜାର ଉପରେ ଲକଡାଉନ କଟକଣା ଆଉ ସେପଟେ ମନ୍ଦିର ତଥା ଦେବାନୁଷ୍ଠାନ ବନ୍ଦ ସାଙ୍ଗକୁ ଅମ୍ଫନ ବାତ୍ୟାର ଆଭାସ । ଚଳିତବର୍ଷ ସାବିତ୍ରୀ ପର୍ବ ପାଇଁ ଆଶା ବାନ୍ଧିଥିବା ବ୍ୟବସାୟୀଙ୍କୁ ଆହୁରୀ କ୍ଷତି ସହିବାକୁ ପଡୁଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ