ଢେଙ୍କାନାଳ: ଶେଷ ହେବ ଗଜଲକ୍ଷ୍ମୀ ପୂଜା ଉତ୍ସବ । ଯାହା ଫଳରେ ପୂଜା ବଜାରରେ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି । କୁମାରପୂର୍ଣ୍ଣିମାରୁ ଏହି ପୂଜା ଆରମ୍ଭ ହୋଇଥିବାବେଳେ ଧରାପୃଷ୍ଠରୁ ବିଦାୟ ନେବେ ମା' ଗଜଲକ୍ଷ୍ମୀ । ଆସନ୍ତା ୮ତାରିଖରେ ମା' ଲକ୍ଷ୍ମୀ ଢେଙ୍କାନାଳରେ ପାଳନ ହେବ ଭସାଣୀ ଉତ୍ସବ । ପୂଜା ବଜାରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସୁଛନ୍ତି । ପୂଜା ବଜାରରେ ମନ ମହୁଛି ରଙ୍ଗୀନ ଆଲୋକ ମାଳା ଓ ସୁଉଚ୍ଚ ତୋରଣ । ଦୋଳି, ମିନା ବଜାର ସାଙ୍ଗକୁ ଫାଷ୍ଟ ଫୁଡ଼ର ମଜା ଉଠାଉଛନ୍ତି ଯୁବଗୋଷ୍ଠୀ । ଆଉ ପିଲାଠୁ ବୁଢା ଯାଏଁ ସମସ୍ତେ ଉତ୍ସବକୁ ଉପଭୋଗ କରୁଛନ୍ତି ।
ତେବେ କଲେଜ ବଜାର ପୂଜା ମଣ୍ଡପ ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କୁ ସ୍ୱତନ୍ତ୍ର ଭାବେ ଆକର୍ଷିତ କରୁଛି । ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ଦୀର୍ଘ ୧୦ କିଲୋମିଟର ବ୍ୟାପୀ ସହରର ମୁଖ୍ୟ ରାସ୍ତା ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ତେବେ ସହରର ପ୍ରବେଶ ସ୍ଥଳ ଏହି କଲେଜ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ କୈଳାସ ଗିରି ଦର୍ଶକଙ୍କୁ ଆକର୍ଷିତ କରୁଛି । ଏଠାରେ ଜରି, ବୋତଲ ଆଦି ବର୍ଜ୍ୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏହି ସାଜସଜ୍ଜା । କୈଳାସ ପର୍ବତର ଗୁମ୍ଫାରେ ମା' ଲକ୍ଷ୍ମୀ ବିରାଜମାନ କରିଥିବାବେଳେ ପାହାଡ଼ର ଶୀର୍ଷରେ ଦେବ ଦେବ ମହାଦେବଙ୍କୁ ସ୍ଥାପିତ କରାଯାଇଛି ।
ମହାଦେବଙ୍କ ମସ୍ତକରୁ ଗଙ୍ଗା ଝରୁଥିବାର ଦୃଶ୍ୟ ଦର୍ଶକଙ୍କୁ ଏକ ଆଧ୍ୟାତ୍ମିକ ଭାବନା ମଧ୍ୟରେ ବାନ୍ଧି ରଖୁଛି। ବର୍ଜ୍ୟବସ୍ତୁରେ ରଙ୍ଗ ବେରଙ୍ଗର ଜରିରେ ଫୁଲ କରାଯାଇଛି l ସାଜସଜ୍ଜାରେ କାରିଗରଙ୍କ ଅତି ନିଖୁଣ କାରୁକାର୍ଯ୍ୟ ଦର୍ଶକଙ୍କୁ କୈଳାସଗିରିର ଭ୍ରମ ସୃଷ୍ଟି କରୁଛି । ଫଳରେ ପୂଜା ବଜାରକୁ ଦର୍ଶକଙ୍କୁ ସୁଅ ଛୁଟୁଛି । ଯାହାକୁ ନେଇ ପୂଜା ମଣ୍ଡପର କର୍ମକର୍ତ୍ତା ବେଶ ଉତ୍ସାହିତ ଥିବାବାଳେ ଏହି ପ୍ରୟାସ ସାମ୍ପ୍ରତିକ ସମାଜରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ଜନ ସଚେତନତା ସୃଷ୍ଟି କରୁଛି ବୋଲି ପ୍ରକାଶ କରିଛନ୍ତି । ପୂଜା କମିଟି ସଦସ୍ୟ କହିଛନ୍ତି, " କଲେଜ ବଜାର ପୂଜା ମଣ୍ଡପରେ 1958 ମସିହାରୁ ମା'ଙ୍କର ପୂଜା ଆରମ୍ଭ ହୋଇଛି । ଦୀର୍ଘ 65 ବର୍ଷ ଧରି ଏହି କମିଟି ମା'ଙ୍କର ପୂଜାର୍ଚ୍ଚନା କରିଆସିଛି ।"
ଇଟିଭି ଭାରତ, ଢେଙ୍କାନାଳ