ଢେଙ୍କାନାଳ: ମହିମା ଧର୍ମର ସର୍ବ ପ୍ରଚୀନ ପୀଠ ହେଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମହିମା ଆଶ୍ରମ । ଏଠାରେ ମହିମା ଧର୍ମରେ ଦିକ୍ଷୀତ ସାଧୁ ସନ୍ଥମାନେ ଗାଦୀରେ ପୂଜାର୍ଚ୍ଚନା ସଂକିର୍ତ୍ତନ କରିବା ସହିତ ଧର୍ମର ପ୍ରଚାର ପ୍ରସାର କରି ଆସୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ହେଲା ଏଇଠି ମଧ୍ୟ ଆଶ୍ରମ ଜାଗା ଜମିରେ ଜବର ଦଖଲ ରହିଛି । ଏଥିନିମନ୍ତେ ଦୁଇ ଗୋଷ୍ଠୀ କୋର୍ଟ କଚେରୀକୁ ଯାଉଛନ୍ତି । ଆଉ ବିବାଦ ଏତେ ଉଗ୍ର ହେଉଛି ଯେ, ଉଭୟ ବକଳ ଓ କୌପନୀ ଧାରି ସାଧୁ ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଜୋରନ୍ଦା ମହିମା ଗାଦୀରେ ।
ବିଶ୍ୱ ପ୍ରସିଦ୍ଧ ମହିମା ଜୋରନ୍ଦା ମହିମା ଗାଦୀରେ ଜାଗା ଜମି ଜବର ଦଖଲ ଓ ଉଚ୍ଛେଦକୁ ନେଇ ପୁଣିଥରେ ମୁଣ୍ଡ ଟେକିଛି ମହାବିବାଦ । ତା'ପୁଣି ଦୁଇ ଗୋଷ୍ଠୀ ସାଧୁ ସନ୍ଥଙ୍କ ମଧ୍ୟରେ । ଉଭୟ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ହାଇକୋର୍ଟକୁ ଯାଇଥିଲା । ଶେଷରେ ବିବାଦର ସମାଧାନ ପାଇଁ ମୁଖ୍ୟ ଗାଦୀ ମନ୍ଦିର ତୃତୀୟ ବେଢାର ମାହାଳ ମୂଳରେ ଥିବା କୌପନୀ ଧାରୀ ମହିମା ସମାଜର ସାଧନା ପୀଠକୁ ଉଚ୍ଛେଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ସାଧନା ପୀଠ ଉଚ୍ଛେଦ ପରେ ଜାଗା ଜମିକୁ ଦଖଲକୁ ନେବେ ବକଳ ଧାରୀ ସାଧୁ ସନ୍ଥ । ଏହାକୁ କେନ୍ଦ୍ରକରି ଉଭୟ ବକଳ ଓ କୌପନୀ ଧାରି ସାଧୁ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି । ଫଳରେ ଏହି ବିଶ୍ୱ ପ୍ରସିଦ୍ଧ ମହିମା ପୀଠରେ ଚାପା ଉତ୍ତେଜନା ଦେଖାଦେଇଛି ।
କୌପନୀ ଧାରୀ ମହିମା ସମାଜ ପକ୍ଷରୁ ସ୍ବର୍ଗତ କୃପାସିନ୍ଧୁ ବାବା ବିବାଦୀୟ ସ୍ଥାନକୁ ସାଧନା ପୀଠଭାବେ ବ୍ୟବହାର କରୁଥିଲେ । ଏନେଇ ସେ ସମୟରେ ମଧ୍ୟ ବିବାଦ ଉପୁଜିଥିଲା । କୃପାସିନ୍ଧୁ ବାବା ବୟସାଧିକ ଯୋଗୁଁ ସବୁବେଳେ ପାହାଚ ଚଢି ଗାଦୀକୁ ଯାଇ ପୂଜାର୍ଚ୍ଚନା କରି ପାରିବେନି ବୋଲି କହିଥିଲେ ଏବଂ ତାଙ୍କର ସ୍ବାର୍ଗବାସ ପରେ ବିବାଦୀୟ ସ୍ଥାନରୁ ସାଧନା ପୀଠ ଉଚ୍ଛେଦ କରିବାକୁ କୁଆଡେ କହିଥିଲେ । ତେବେ ବାବାଙ୍କ ସ୍ବାର୍ଗବାସ ପରେ ମଧ୍ୟ ସାଧନା ପୀଠ ଉଚ୍ଛେଦ ହେଲା ନାହିଁ । ଫଳରେ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ ରହି ମାଲି ମକଦ୍ଦମା କଲେ ଏବଂ କୋର୍ଟ କଚେରୀ ଗଲେ । ଉଭୟ ଜୋରନ୍ଦା ଓ ନାଟିମା ରାଜସ୍ୱ ଗ୍ରାମର ମୋଟ ୭୬ ଏକର ଜାଗା ଜମିକୁ ନେଇ ୨୦୧୮ମସିହାରେ ଉଚ୍ଚ ନ୍ୟାୟଲୟରେ ଶୁଣାଣି ହୋଇଥିଲା । ଜାଗା ଜମି ଓ ଆଶ୍ରମ ଉପରେ ଉଭୟ ଗୋଷ୍ଠୀର ସମାନ ଭାଗ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିବାଦୀୟ ସ୍ଥାନରୁ ଉଚ୍ଛେଦ କରାଯିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ବକଳ ଧାରୀ ମହିମା ସାଧୁ ମାନେ ଏହାକୁ ନିଜ ଦଖଲକୁ ନେବାପାଇଁ ଅଣ୍ଟା ଭିଡିଛନ୍ତି । ଅପରପକ୍ଷରେ ମାହାଳ ମୂଳର ୮ଗୁଣ୍ଠ ଜାଗାରେ ଅନ୍ୟୁନ ଶହେ ବର୍ଷ ହେଲା ଅଖଣ୍ଡ ବତୀ ମନ୍ଦିର, ଧୂନୀ ମନ୍ଦିର ରହିଥିବା ବେଳେ ବାବା ମାନଙ୍କ ସାଧନା ପୀଠ ଭାବେ ଏହା ବ୍ୟବହୃତ ହେଉଛି ।
କ୍ରମଶଃ ମହିମା ଧର୍ମର ପ୍ରଚାର ପ୍ରସାର ବୃଦ୍ଧି ପାଉଥିବା ବେଳେ ଓ ପୀଠର ବାର୍ଷିକ ଉତ୍ସବ ଜୋରନ୍ଦା ମେଳାରେ ଆଗ ଅପେକ୍ଷା ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି । ଏହି ଦୃଷ୍ଟିରୁ ତୃତୀୟ ବେଢାରୁ ସାଧନା ପୀଠ ଉଚ୍ଛେଦ ଜରୁରୀ ବୋଲି ମତ ଦେଇଛନ୍ତି ବକଳ ଧାରୀ ମହିମା ସମାଜର ମୁଖ୍ୟ । ଏହାକୁ ତୀବ୍ର ବିରୋଧ କରିଛନ୍ତି କୌପନୀ ଧାରୀ ମହିମା ସାଧୁ ଓ ଶ୍ରଦ୍ଧାଳୁ । ରାଜସ୍ୱ ଅଦାଲତରୁ ଏକ ଶୁଣାଣୀକୁ ଆଧାର କରି ଏହାକୁ ଉଚ୍ଛେଦ ପାଇଁ ଜିଦ ଧରିବା ସେମାନଙ୍କୁ ମର୍ମାହତ କରିଥିବା କହିଛନ୍ତି କୌପନି ଧାରୀ ମହିମା ସମାଜର ସମ୍ପାଦକ ।
ଗତ ରବିବାର ଦିନ ବିବାଦୀୟ ଉପାସନା ପୀଠକୁ ଉଚ୍ଛେଦ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଆବଶ୍ୟକ ସଂଖ୍ୟକ ପୁଲିସ ଫୋର୍ସ ଅଭାବରୁ ଶେଷ ମୁହୂର୍ତ୍ତରେ ଉଚ୍ଛେଦ ବାତିଲ ହୋଇଥିଲା । ଅନ୍ୟପଟେ ଉଚ୍ଛେଦ ବିରୋଧରେ ପୀଠରେ କୌପନୀ ଧାରୀ ମହିମା ସମାଜର ଶହ ଶହ ଭକ୍ତ ଏକାଠି ହୋଇଛନ୍ତି । ଉଭୟ ଗୋଷ୍ଠୀର ଜିଦ ଓ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ହରଡ଼ଘଣାରେ ପଡିଛନ୍ତି ଉଭୟ ପ୍ରଶାସନ ଏବଂ ମହିମା ଧର୍ମାବଲମ୍ବୀ । ତେବେ ଏହାର ସିଧାସଳଖ ପ୍ରଭାବ ପଡୁଛି ଉଭୟ ଗୋଷ୍ଠୀର ମହିମା ଧର୍ମାବଲମ୍ବୀଙ୍କ ଉପରେ ।
ଇଟିଭି ଭାରତ, ଢେଙ୍କାନାଳ