ଢେଙ୍କାନାଳ: ମହାମା ଗାଦି ଉଚ୍ଛେଦ ପରେ ଉପାସନା ପୀଠ ପାଇଁ ଭୂମି ପୂଜନ କରିଛନ୍ତି କୌପନୀଧାରୀ ସାଧୁ ଗୋଷ୍ଠୀ । ମହିମା ଧର୍ମର ମୁଖ୍ୟ ପୀଠ ମହିମ ଗାଦିଠାରେ ନୂତନ ଉପାସନା ପୀଠ ଲାଗି ଶୁକ୍ରବାର ଭୂମି ପୂଜନ କରାଯାଇଛି । କୌପନୀଧାରୀ ମାହିମା ସାଧୁମାନେ ମୁଖ୍ୟ ଗାଦି ମନ୍ଦିର ଦକ୍ଷିଣ ପାର୍ଶ୍ଵ ଦଲକଠାରେ ଏହି ଉପାସନା ପୀଠର ନିର୍ମାଣ କରିବେ । ଏଥିପାଇଁ ଶୁକ୍ରବାର ସ୍ଥାନୀୟ ଲୋକ, ଭକ୍ତ ଓ ଶ୍ରଧାଳୁଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଭୂମି ପୂଜନ ପରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କୌପନୀଧାରୀ ସନ୍ୟାସୀ ।
ସୂଚନା ଥାଉକି, ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ମହିମା ଧର୍ମ । ତେବେ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦିରେ ଉଭୟ ବକଳ ଓ କୌପନୀଧାରୀ ମହିମା ସାଧୁଙ୍କ ମଧ୍ୟରେ ଦୀର୍ଘ ୭୦ବର୍ଷ ହେଲା ବିବାଦ ଲାଗି ରହିଛି । ଏହି ବିବାଦ ସମାଧାନର ବାଟ ଫିଟୁ ନଥିବାବେଳେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତବର୍ଷ ନଭେମ୍ବର ୨୨ତାରିଖରେ ବିବାଦୀୟ ତୃତୀୟ ବେଢାରେ ଥିବା କୌପନୀ ସାଧୁଙ୍କ ଉପାସନା ପୀଠ ଉଚ୍ଛେଦ କରାଯାଇଥିଲା । ଏହାପରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା ।
ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାରେ କୌପନୀ ସାଧୁ ଗୋଷ୍ଠୀଙ୍କ ଅଖଣ୍ଡ ବତୀ ମନ୍ଦିର, ଧୁନୀ ମନ୍ଦିର ଓ ଭେକ ମନ୍ଦିର ରହିଥିବା ବେଳେ ଏହି ଜାଗାକୁ ନେଇ ଉଭୟ ବକଲ ଓ କୌପନୀ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଏହାକୁ ଉଚ୍ଛେଦ ପାଇଁ ମାମଲା ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଦର୍ଶାଇ ଗତବର୍ଷ ନଭେମ୍ବର ୨୨ ତାରିଖରେ କୌପନୀ ଗୋଷ୍ଠୀଙ୍କ ଉପାସନା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉପାସନା ପୀଠ ସବୁକୁ ଉଚ୍ଛେଦ କରି ଦେଇଥିଲା । ଫଳରେ ଉଭୟ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ କରିଥିଲେ ।
ପରେ ଉଭୟ ସାଧୁ ଗୋଷ୍ଠୀଙ୍କ ସମ୍ମତିକ୍ରମେ ମୁଖ୍ୟ ଗାଦୀ ମନ୍ଦିର ଦକ୍ଷିଣ ପାର୍ଶ୍ଵ ଦଲକ ଠାରେ ଉପାସନା ପୀଠ ନିର୍ମାଣ ପାଇଁ କୌପନୀ ସାଧୁ ଗୋଷ୍ଠୀଙ୍କ ପାଇଁ ସମାଧାନର ବାଟ ଫିଟିଥିଲା । ଗତକାଲି କୌପନୀ ସାଧୁମାନେ ସେମାନଙ୍କର ଉପସାନା ପୀଠ ନିର୍ମାଣ ପାଇଁ ଭୂମି ପୂଜା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଇଟିଭି ଭାରତ, ଢେଙ୍କାନାଳ