ଢେଙ୍କାନାଳ: କ୍ଲିନିକାଲ ଆଇନକୁ ଉଲ୍ଲଘଂନ କରି ଚାଲିଥିଲା ଘରୋଇ ଡାକ୍ତରଖାନା । ଫଳରେ ଢେଙ୍କାନାଳ ସହରର ହାଟରୋଡ଼ ସ୍ଥିତ ଜଗନ୍ନାଥ ହସ୍ପିଟାଲକୁ ଆଜି ସିଲ କରିଦିଆଯାଇଛି । ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦେଶ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ହସ୍ପିଟାଲକୁ ସିଲ କରାଯାଇଛି ।
ଢେଙ୍କାନାଲ ଜିଲ୍ଲାପ୍ରଶାସନ ପକ୍ଷରୁ ଏଜକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଢେଙ୍କାନାଳ ତହସିଲଦାର ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଟାଉନ ପୋଲିସ ସହାୟତାରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଏହି ଘରୋଇ ଡାକ୍ତରଖାନାକୁ ସିଲ କରାଯାଇଛି । ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ପରିଦର୍ଶନ ବେଳେ ଏହି ଡାକ୍ତରଖାନା ପକ୍ଷରୁ କ୍ଲିନିକାଲ ଏଷ୍ଟାବଲିସମେଣ୍ଟ ଆଇନ ଉଲ୍ଲଂଘନ କରିଥିବା ସମ୍ପର୍କରେ ଗତ ବର୍ଷ ଏକ ମାମଲା ହୋଇଥିଲା ।
ଫଳରେ ଏନଏଚଆରସିଙ୍କ ପକ୍ଷରୁ ଏହି ଜଗନ୍ନାଥ ହସ୍ପିଟାଲକୁ ସିଲ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସାଧୀକାରୀ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ