ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଥିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ଢେଙ୍କାନାଳ ସଦର ଓ ଓଡ଼ପଡା ବ୍ଲକରେ ମୋଟ ୫୮ ପଞ୍ଚାୟତ ଓ ୭ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ହୋଇଛି । ଭୋଟ ଗ୍ରହଣର ଦୁଇ ଦିନ ପୂର୍ବରୁ ସଦର ବ୍ଲକ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ବାମୀ ଦୀପକ ଦାଶ ହଠାତ ନିଖୋଜ ହୋଇଯାଇଥିଲେ ।
ଅନ୍ୟପଟେ ସେ ବ୍ୟବହାର କରୁଥିବା ସ୍କୁଟିରେ ରକ୍ତ ଲାଗିବା ଅବସ୍ଥାରେ ଉଦ୍ଧାର ପରେ ପରିବାର ଓ ପଞ୍ଚାୟତରେ ଚହଳ ପଡିଯାଇଥିଲା । ଅନ୍ୟପଟେ ଭୋଟ ଗ୍ରହଣ ପୂର୍ବରୁ ଭୋର ସମୟରେ ନିଖୋଜ ଦୀପକଙ୍କୁ ଢେଙ୍କାନାଳ ସହରର ସିମିଳିଆ ଓଭର ବ୍ରିଜ ନିକଟରୁ ମୁର୍ମୂଷ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ତେବେ ଦୀପକଙ୍କୁ ଦୁର୍ବୃତ୍ତମାନେ ପିସ୍ତଲରେ ପିଟି ଅପହରଣ କରି ନେଇଥିବା ସେ ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ସେ ଢେଙ୍କାନଲ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି । ଏହି ଘଟଣା ପରେ ତାଙ୍କ ପଞ୍ଚାୟତ ଶାଙ୍କୁଲେଇ ଓ ନିଜ ଗ୍ରାମ କୁମାରଦେଇପୁରରେ ଲୋକମାନେ ମର୍ମାହତ ଥିଲେ ମଧ୍ୟ ଭୋଟ ଗ୍ରହଣରେ କୌଣସି ପ୍ରଭାବ ପଡିନାହିଁ । ଏହି ପଞ୍ଚାୟତରେ ଭୋଟର ବେଶ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିଛନ୍ତି ।
ସେହିପରି ଦୀପକଙ୍କ ଏପରି ଅପହରଣ ଘଟଣାରେ ମର୍ମାହତ ଗ୍ରାମବାସୀ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ