ଢେଙ୍କାନାଳ: ଆଖି ଆଗରେ ବୁଡି ରହିଛି ଚାଷ ଜମି । ବର୍ଷକର ଆଶା ଓ ଭରସା ସବୁକିଛି ବୁଡାଇ ଦେଲା ବନ୍ୟା ପାଣି । ଧାନ ବିଲରେ ଲହଡି ମରୁଛି ଚାରିରୁ ପାଞ୍ଚ ଫୁଟର ପାଣି । ଫଳରେ ପରିବା ଠାରୁ ଆରମ୍ଭ କରି ଧାନ ଯାଏ ସବୁ କିଛି ପଚି ଉଜୁଡିଗଲା । ଏହି ଲଗାଣ ବର୍ଷା ଯୋଗୁଁ ସିଧା ସଳଖ ଚାଷୀ ମୁଣ୍ଡରେ ପଡିଛି ଚଡକ । ଲଗାଣ ବର୍ଷା ତ କମିଯାଇଛି, ହେଲେ ବନ୍ୟା ଜଳରେ ବିଲ ସବୁ ବୁଡି ରହିଛି । ଏବେ ଚାଷୀ କୂଳ ହତାଶ । ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।
ଏ ହେଉଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କରମୂଳ, ବାଇସିଂହା, ରାଇତୈଲା ଓ କଳୁରିଆ ପଞ୍ଚାୟତର ଚାଷୀମାନଙ୍କ କଥା । ଏହି ପଞ୍ଚାୟତ ଗୁଡିକର ପ୍ରାୟ ପନ୍ଦର କୋଡିଏଟି ଗ୍ରାମର ଶହ ଶହ ଏକର ଚାଷ ଜମି ବନ୍ୟା ଜଳରେ ବୁଡିରହିଛି । ଫଳରେ ଚାଷୀମାନେ କରିଥିବା ପରିବା ହେଉ ବା ଧାନ ହେଉ ସବୁ କିଛି ବନ୍ୟା ଜଳରେ ବୁଡି ରହି ପଚିବାରେ ଲାଗିଛି । ଭଲ ବର୍ଷାକୁ ଦେଖି ବିଲରେ ଧାନ ରୋଇ ବେଶ ଖୁସି ହୋଇ ଯାଇଥିଲା ଚାଷୀ । ମାତ୍ର ଏହି ଲଗାଣ ବର୍ଷା ଯୋଗୁଁ ସବୁ କିଛି ଆଶା ବନ୍ୟା ପାଣି ବୁଡାଇ ଦେଇଛି । ଯାହା ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମାନଙ୍କ ଅବସ୍ଥା ଜଟିଳ ହୋଇପଡିଛି ।
ବିଶେଷ କରି ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧିରୁ ବନ୍ୟା ସୃଷ୍ଟି କରିଛି । ଲଗାଣ ବର୍ଷା ଛାଡି ଯାଇଥିଲେ ମଧ୍ୟ ନଦୀ କୂଳରେ ରହିଥିବା ଚାଷ ଜମି ଗୁଡି଼କରେ ବନ୍ୟା ଜଳ ମାଡି ରହିଛି । ଏ ସମ୍ପର୍କରେ କୃଷି ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଯାଞ୍ଚ କରି ରିପୋର୍ଟ ପରେ କ୍ଷୟ କ୍ଷତି ଆକଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଗଁଦିଆ ତହସିଲଦାର ।
ଏବେ ଲଗାଣ ବର୍ଷା କମି ଯାଇଛି । ହେଲେ ତୁହା କୁ ତୁହା ଲଘୁଚାପ ସାଙ୍ଗକୁ ଫୁଲୁଥିବା ବ୍ରାହ୍ମଣୀ ନଦୀ ଏହି ଚାଷୀ କୂଳକୁ ସମ୍ପୂର୍ଣ୍ଣ ହତାଶ କରିଦେଇଛି । ଫଳରେ କ୍ଷୟ କ୍ଷତିର ଆକଳନ ଆଉ ସରକାରୀ ସହାୟତା ପାଇଁ ଚାଷୀମାନେ ଚାହିଁ ବସିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ