ଢେଙ୍କାନାଳ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ଘଟଣା । ବିଦ୍ୟୁତ ଆଘାତରେ ଯାଉଛି ହାତୀଙ୍କ ଜୀବନ । ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳର ଏକ ଫାର୍ମ ହାଉସରେ ବିଦ୍ୟୁତ ଫାଶରେ ଏକ ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ଆକ୍ସନ ମୋଡ୍କୁ ଆସିଛି । ହାତୀ ମୃତ୍ୟୁର ଦୁଇଦିନ ପରେ ଗତ ରାତିରେ ବନ ବିଭାଗ ପକ୍ଷରୁ ଖବର ପାଇ ମୃତଦେହ ଜବତ କରାଯାଇଥିଲା । ଆଜି ମୃତହାତୀର ମୃତଦେହ ବ୍ୟବଚ୍ଛେଦ କରିଛି ବନବିଭାଗ ।
ସେପଟେ ମୃତହାତୀ ଦେହରେ ବିଦ୍ୟୁତ ତାର ଲାଗିଥିବା ଅବସ୍ଥାରେ ଉଦ୍ଧାର ପରେ ବନବିଭାଗ ଆକ୍ସନ ମୋଡକୁ ଆସିଛି । ଆଜି ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ହାତୀ ମାରିଥିବା ଫାର୍ମ ହାଉସର ଘରେ ମିଳିତ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ହାତୀ ମୃତ୍ୟୁରେ ବ୍ୟବହୃତ ବିପୁଳ ପରିମାଣର ବିଦ୍ୟୁତ ତାର ଜବତ କରାଯାଇଛି । ଏହାସହ ଚଢ଼ାଉ ବେଳେ ଉକ୍ତ ଫାର୍ମ ହାଉସରୁ ବିପୁଳ ପରିମାଣର ଚୋରା କାଠ ମଧ୍ୟ ଜବତ କରିଛି ବନବିଭାଗ । ଏ ସଂକ୍ରାନ୍ତରେ ଫାର୍ମ ହାଉସ ମାଲିକଙ୍କୁ ଗିରଫ କରି ପୋଲିସ ଜିମା ଦେଇଛି। ତେବେ କାଠ କାଟିବା ପାଇଁ ବିଦ୍ୟୁତ ବ୍ୟବହାର ଓ ପରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ପ୍ରାଣ ଯାଇଥିବା ଅନୁମାନ କରିଛି ବନବିଭାଗ । ତେବେ ଫାର୍ମ ହାଉସ ମାଲିକଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ ।
ଏହା ବି ପଢ଼ନ୍ତୁ: ବିପଦରେ ଗଜରାଜ: ୧୧ କେଭି ବିଦ୍ୟୁତ୍ ତାର ନେଲା ହାତୀର ଜୀବନ
ବନଖଣ୍ଡ ଅଧିକାରୀ ସୁମିତ କର କହିଛନ୍ତି, "ବିଦ୍ୟୁତ କାରଣରୁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ହାତୀ ମୃତ୍ୟୁ ସୂଚନା ମିଳିବା ପରେ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । କହିଁକି ଓ କେଉଁ କାରଣରୁ ଏପରି ଘଟିଛି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"
ଅଧିକ ପଢ଼ନ୍ତୁ: ରେଳ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ
ପ୍ରକାଶ ଥାଉକି, ଗତ ରାତିରେ ବୋରାପଦା ଖମାର ଅଞ୍ଚଳରେ ଏକ ଫାର୍ମ ହାଉସରେ ଏକ ହାତୀର ମୃତଦେହ ପଡିଥିବା ଚର୍ଚ୍ଚା ହୋଇଥିଲା । ଖବର ପାଇ ଗତ ରାତିରେ ସଦର ରେଞ୍ଜ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଠାବ କରିଥିଲେ । ମୃତ ହାତୀଟି ଏକ ମାଈ ହାତୀ ଓ ବୟସ ୧୫ରୁ ୨୦ ବର୍ଷ ହେବ ବୋଲି ଜଣାପଡିଛି । ହାତୀଟିର ବିଦ୍ୟୁତ ଆଘାତରୁ ଜୀବନ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ଢେଙ୍କାନାଳ