ଢେଙ୍କାନାଳ: ବିଦ୍ୟୁତ ଆଘାତରେ ବିଦ୍ୟୁତ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦୟଣାବିଲି ଗ୍ରାମରେ । ମୃତକ ଜଣକ ଜିରାଳ ଗ୍ରାମର ସୁବ୍ରତ ସାହୁ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ମଠକରଗୋଳା ବିଦ୍ୟୁତ ସେକ୍ସନ ଅଧୀନରେ ସୁବ୍ରତ କାର୍ଯ୍ୟ କରୁଥିଲେ l ସେହି ସେକ୍ସନ ଅନ୍ତର୍ଗତ ଦୟଣାବିଲି ଗ୍ରାମରେ ନୂଆ ଟ୍ରାନ୍ସଫରମରରେ ବିଦ୍ୟୁତସଂଯୋଗ କରିବା ପାଇଁ ସୁବ୍ରତ ଓ ଅନ୍ୟ ଠିକା କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇଥିଲେ l ସେଠାରେ କାମ କରୁଥିବା ବେଳେ ସୁବ୍ରତ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। l
ଏଠାରେ ପ୍ରଶ୍ନ ଉଠୁଛି ନୂଆ ବିଦ୍ୟୁତ ଟ୍ରାନ୍ସଫରମରରେ ବିଦ୍ୟୁତସଂଯୋଗ କରିବା ଭଳି ବିପଦପୂର୍ଣ୍ଣ କାମରେ କିଭଳି ବିଭାଗୀୟ ଅଧିକାରୀ ନିୟୋଜିତ ନରହି ଠିକା କର୍ମଚାରୀଙ୍କୁ ବିପଦ ମୁହଁକୁ ଠେଲି ଦେଇଥିଲେ । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ