ଢେଙ୍କାନାଳ: କଥାରେ ଅଛି 'ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ' । ଏପରି ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ । ଲଗାଣ ବର୍ଷାରେ ବ୍ରାହ୍ମଣୀରେ ସୃଷ୍ଟି ହୋଇଥିବା ବନ୍ୟା ପ୍ରାୟତଃ କମିଯାଇଛି ସତ । ହେଲେ ଏହାପରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଏପରିକି ବନ୍ୟାପାଣି ଯୋଗୁଁ ଭୁବନରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି।
![dhenkana](https://etvbharatimages.akamaized.net/etvbharat/prod-images/od-dkl-02-driking-water-scarcity-due-to-flood-damaged-pump-house-in-bhuban-nac-pkg-7208629-rtu_04092020143223_0409f_1599210143_918.png)
ବିଶେଷ କରି ଭୁବନ ଏନଏସିକୁ ପାଇପ ପାଣି ଯୋଗାଇବା ପାଇଁ ବ୍ରାହ୍ମଣୀ କୂଳରେ ରହିଛି ମୁଖ୍ୟ ପମ୍ପ ହାଉସ । ମାତ୍ର ବନ୍ୟା ଜଳରେ ଏହି ପମ୍ପ ହାଉସଟି ସମ୍ପୁର୍ଣ୍ଣ ବନ୍ୟାପାଣିରେ ବୁଡି ରହିଥିବାରୁ ଭୁବନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଯାହା ଫଳରେ ଭୁବନ ଏନଏସିର ୧୭ ଟି ଓ୍ବାର୍ଡରେ ବସବାସ କରୁଥିବା ୫୦ ହଜାର ଲୋକ ପାନୀୟ ଜଳ ଟୋପାଏ ପାଇଁ ନାକେଦମ ହେଉଛନ୍ତି ।
![dhenkana](https://etvbharatimages.akamaized.net/etvbharat/prod-images/od-dkl-02-driking-water-scarcity-due-to-flood-damaged-pump-house-in-bhuban-nac-pkg-7208629-rtu_04092020143223_0409f_1599210143_297.png)
ଏପରିକି ପମ୍ପ ଘରର ଦକ୍ଷିଣ ପାର୍ଶ୍ବରେ ଥିବା ପାଚେରୀଟି ମଧ୍ୟ ଭନ୍ୟାଜଳରେ ଭୁଶୁଡି ପଡିଛି । ଏଥିସହିତ ଜିଆନାଳି ନିକଟରେ ଥିବା ମୁଖ୍ୟ ପାଇପ ଲାଇନକୁ ବନ୍ୟାଜଳ ଫଟାଇ ଦେଇଛି । ଭୁବନରେ ୫ ଗୋଟି ପାଣି ପମ୍ପଘର ମଧ୍ୟରୁ 3ଟି ପାଣିରେ ବୁଡି ରହିଥିବାରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଥିବା ଜଣାପଡିଛି ।
ତେବେ ବିଭାଗୀୟ ଜନସ୍ବାସ୍ଥ୍ୟ ଅଧିକାରୀ କ୍ୟାମେରା ଆଗରେ ପାଟି ଖୋଲୁ ନଥିଲେ ମଧ୍ୟ ବନ୍ୟା ନଶୁଖିବା ଯାଏ, ମରାମତି କରିବା ଅସମ୍ଭବ ହୋଇପଡିଛି । ଫଳରେ ଭୁବନ ଏନଏସି ବାସିନ୍ଦା ଏବେ ଜନସ୍ବାସ୍ଥ୍ୟ ବିଭାଗର ମରାମତିକୁ ଚାହିଁ ରହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ