ଢେଙ୍କାନାଳ: ସବର୍ଣ୍ଣ ଅସବର୍ଣ୍ଣକୁ ନେଇ ଢେଙ୍କାନାଳ ଜିଲ୍ଲା ଭୁବନ କୃଷ୍ଣପୁର ଗ୍ରାମରେ ଉଗ୍ର ହେବାରେ ଲାଗିଛି ବିବାଦ । ଏପରିକି ଅସବର୍ଣ୍ଣମାନଙ୍କୁ କୂଅ ପୋଖରୀ ବାରଣ କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ନ୍ୟାୟ ପାଇଁ ଦଳିତ ପରିବାର ଗୁଡିକ ଭୁବନ ଥାନା ଘେରାଉ କରିଥିବା ଦେଖାଯାଇଛି ।
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି । ଏହି ଗ୍ରାମରେ ଅସବର୍ଣ୍ଣ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଫଳରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କୃଷ୍ଣପୁର ଗ୍ରାମରେ ଥିବା ୨୨ ଟି ଦଳିତ ପରିବାରକୁ ସବର୍ଣ୍ଣ ଜାତିର ଯୁବକମାନେ କୂଅ,ପୋଖରୀ, ରାସ୍ତାଘାଟ ଓ ଗାଧୁଆତୁଠକୁ ବାରଣ କରିଥିବା ଅଭିଯୋଗ ଉଠାଇଛନ୍ତି ଦଳିତ ଗୋଷ୍ଠୀ ।
ମିଳିଥିବା ସୂଚନା ମୁତାବକ, ଉକ୍ତ ଗ୍ରାମର ଜଣେ ଅସବର୍ଣ୍ଣ ଯୁବକକୁ ଆକ୍ରମଣ ଘଟଣାରେ ଥାନାରେ ଅଭିଯୋଗ କରିବାକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଛି । ସବର୍ଣ୍ଣମାନେ ଦଳିତ ପରିବାର ଉପରେ ମାଡଗାଳି ଓ ଜୀବନରୁ ମାରିଦେବାକୁ ଧମକ ଦେବା ସମ୍ପର୍କରର ଏକ ଅଭିଯୋଗ ଭୁବନ ଥାନାରେ ହୋଇଥିବା ଜଣାପଡିଛି ।
କିନ୍ତୁ ପୋଲିସ ପ୍ରଶାସନର ଅବହେଳା ଓ ଅଭିଯୁକ୍ତଙ୍କୁ ଗିରଫ ନ କରିବା ନେଇ ଏହି ବିବାଦ ବଢ଼ିବାରେ ଲାଗିଛି । ଫଳରେ ଦଳିତ ପରିବାର ଗୁଡିକ ନ୍ୟାୟ ପାଇବା ପାଇଁ ଆଜି(ବୁଧବାର) ଭୁବନ ଥାନା ଘେରାଉ କରିଥିଲେ । ପରେ ଭୁବନ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ଅଭିଯୁକ୍ତଙ୍କୁ ତଦନ୍ତ କରି ଧରିବା ଏବଂ ସେମାନଙ୍କର ସୁରକ୍ଷାର ପ୍ରତିଶୃତି ଦେବାପରେ ଧାରଣାରୁ ଗ୍ରାମବାସୀ ଓହରି ଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ