ଢେଙ୍କାନାଳ: ବ୍ରାହ୍ମଣୀ ନଦୀର ଟାପୁ ଜାଗାକୁ ନେଇ ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଟାପୁ ଜାଗାକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ଦାବିରେ ଖଣ୍ଡବନ୍ଧ ପଞ୍ଚାୟତର ବ୍ରାହ୍ମଣୀବାଡି ଲୋକେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ଏହାକୁ ନେଇ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଟାଉନ ଥାନା ପୋଲିସ ଓ ଉପ-ଜିଲ୍ଲାପାଳ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେବାରୁ ସେମାନେ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି ।
ବ୍ରାହ୍ମଣୀବାଡ଼ି ଗ୍ରାମବାସୀଙ୍କ ଆଭିଯୋଗ ମୁତାବକ, ବ୍ରାହ୍ମଣୀ ନଦୀ ଭିତରେ ଥିବା ପ୍ରାୟ ୬୫ ଏକର ଟାପୁ ଜାଗାକୁ ସେମାନଙ୍କ ବାପଅଜା ଅମଳରୁ ଚାଷ କରିଆସୁଥିଲେ । ଏଥିରୁ ଆଦାୟ ଅର୍ଥରୁ ଗାଁ ମନ୍ଦିର ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଲଗାଉଥିଲେ । ମାତ୍ର ଗତ ଚାରି ପାଞ୍ଚ ବର୍ଷ ହେବ କାଜୁ ନିଗମ ପକ୍ଷରୁ ଏହାକୁ ଗ୍ରାମର କିଛି ଲୋକଙ୍କୁ ଲିଜ୍ ଦିଆଯାଇ ଏଠାରେ କାଜୁ ଗଛ ଲଗାଯାଇ ଆମଦାନୀ କରାଯାଉଥିଲା । ତେବେ କାଜୁ ନିଗମ ଏହି ଆମଦାନୀ ଅର୍ଥରୁ କିଛି ଗାଁ କମିଟିକୁ ଦେଉଥିଲେ ।
ମାତ୍ର ଗତ ବର୍ଷ ଠାରୁ କାଜୁ ନିଗମ କାଜୁ ନିଲାମ କରୁଥିଲେ ମଧ୍ୟ ଆଉ ଗାଁ କମିଟିକୁ ପଇସାଟିଏ ଦେଉନାହିଁ । ଯାହାକି ଗ୍ରାମବାସୀଙ୍କୁ ବ୍ୟଥିତ କରିଛି । ଫଳରେ ଏହି ଜାଗାରୁ କାଜୁ ନିଗମର ଦଖଲକୁ ଉଚ୍ଛେଦ କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ