ଢେଙ୍କାନାଳ: ସହରର ବସଷ୍ଟାଣ୍ଡ ଠାରୁ କଲେଜ ବାଇପାସ ଯାଏଁ ସହରର ମୁଖ୍ୟ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଜାରି ରହିଥିବା ବେଳେ ଠିକାଦାର ମନମାନି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିଭାଗୀୟ ପୂର୍ତ୍ତ ବିଭାଗ ଚୁପ ରହିଥିବା ବେଳେ ଏହାକୁ ନେଇ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା ।
ଗତ କିଛିଦିନ ଧରି ଅସନ୍ତୋଷ ଜାରି ରହିଥିବା ବେଳେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । କୁଞ୍ଜକାନ୍ତ ଠାରେ ସ୍ଥାନୀୟ ବାସିନ୍ଦା ସହର ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଫଳରେ ଢେଙ୍କାନାଳ ସହରକୁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଫଳରେ ଟ୍ରାଫିକ ସମସ୍ୟା ବାଧାପ୍ରାପ୍ତ ହୋଇଥିବା ବେଳେ ଶହଶହ ଗାଡିମଟର ରାସ୍ତାରେ ଅଟକି ରହିଥିଲା ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ," ଏହି ସଂପ୍ରସାରଣ କାର୍ଯ୍ୟ ଠିକା ନେଇଥିବା ଠିକାଦାର ମୁଖ୍ୟ ରାସ୍ତାକୁ ଖୋଳି ବେପରୁଆ ଭାବେ ପକାଇ ଦେଉଥିବା ବେଳେ ରାସ୍ତା କାର୍ଯ୍ୟରେ ପାଣି ପକାଉ ନାହାନ୍ତି । ରାସ୍ତା କାର୍ଯ୍ୟରେ ବ୍ୟବହୃତ କାରଖାନା ଆସପଣ୍ଡ ଧୂଳିରେ ସମସ୍ତ ଦୋକାନ ବଜାର ଆଦି ଧୂଳିରେ ବୁଡି ରହୁଛି । ଯାହା ଫଳରେ କୁଞ୍ଜକାନ୍ତ, ଗୁଡ଼ିଆନାଳି,କଲେଜ ଛକ ଓ ବସ ଷ୍ଟାଣ୍ଡ ଅଞ୍ଚଳର ଲୋକେ ଅଣନିଶ୍ୱାସୀ ହୋଇପଡିଲେଣି । ଅପରପକ୍ଷରେ କୁଞ୍ଜକାନ୍ତ ଅଞ୍ଚଳରେ ଦୁଇ ଟିନୋଟି ଘରୋଇ କଲେଜ ଓ ବହୁ ମାତ୍ରାରେ କୋଚିଂ ସେଣ୍ଟର ଥିବାରୁ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ଓଆଇଁ ଏହି କାରଖାନା ପାଉଁଶର ବିଷାକ୍ତ ଧୂଳି ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ସେପଟେ ରାସ୍ତାରୁ ଗଛ କାଟି ଦିନ ଦିନ ଧରି ପକାଇ ରଖିବାରୁ ଟ୍ରାଫିକ ଜାମ ଓ ନିମ୍ନମାନର କାର୍ଯ୍ୟ କରାଯାଉଛି ।"
ଏହି ସଂପ୍ରସାରଣ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଥିବା ବେଳେ ଠିକାଦାର କାର୍ଯ୍ୟକୁ ତ୍ବରାନ୍ବିତ ନକରି ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତା କାର୍ଯ୍ୟ ବାହାନାରେ ପ୍ରତ୍ୟେକ ଦିନ ଦୀର୍ଘ ୫ଘଣ୍ଟା ଧରି ପାୱାର କଟ ସ୍ଥାନୀୟ ଲୋକ ଓ ସହର ବାସୀଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ଏହା ସହ ରାସ୍ତାରେ ଉଭୟ ପାର୍ଶ୍ଵରେ ଥିବା ବିଶାଳ କାୟ ଆମ୍ବ ଗଛ ସବୁକୁ ରାସ୍ତା କାର୍ଯ୍ୟ ପାଇଁ କାଟି ଦେଇଥିବା ଜଣାପଡିଛି ।
ମାତ୍ର ସଡକ ଦୁର୍ଘଟଣାର କାରଣ ସାଜିଥିବା ବ୍ଲକ ଅଫିସ ନିକଟରେ ରାସ୍ତାକୁ ମାଡି ରହିଥିବା ଅଶ୍ୱସ୍ତ ଗଛକୁ ନକାଟି ଛାଡି ଦେଇଥିବାରୁ ଟ୍ରାଫିକ ସମସ୍ୟା ଜଟିଳ କରୁଛି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ଲୋକେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଶୁକ୍ରବାର ସ୍ଥାନୀୟବାସୀ କୁଞ୍ଜକାନ୍ତ ଠାରେ ରାସ୍ତା ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ ବୋଲି ପ୍ରକାଶ କରିଛନ୍ତି । ତେବେ ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରିବିକୁ ଡକାଇ ରାସ୍ତାରେ ପାଣି ପକାଇବା ଆରମ୍ଭ କରିଥିବା ଜଣାପଡ଼ିଛି ।
ଇଟିଭି ଭାରତ, ଢେଙ୍କାନାଳ