ଢେଙ୍କାନଳ: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ କନଷ୍ଟେବଳଙ୍କ ପତ୍ନୀ । କାନୁନର କର୍ମଚାରୀ ହୋଇଥିଲେ ମଧ୍ୟ ଆଇନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ । ପ୍ରଥମ ପତ୍ନୀ ଥିବା ସତ୍ତ୍ବେ ଆଉ ଏକ ବିବାହ କରିଥିବା ଅଭିଯୋଗ କରିଛନ୍ତି କନଷ୍ଟେବଳଙ୍କ ପତ୍ନୀ । ଏନେଇ ଥାନା ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ଅଧିକାରୀଙ୍କ ପର୍ଯ୍ୟନ୍ତ ଗୁହାରି ପରେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।
ଶେଷରେ ଆଜି ବାଧ୍ୟ ହୋଇ କନଷ୍ଟବଳଙ୍କ ପତ୍ନୀ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟରେ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଏହି ମହିଳାଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା ଜଣକ ଢେଙ୍କାନଳ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ଗ୍ରାମ ବର ସାହିର ଶୈଳବାଳା ସାମଲ ।
ମହିଳାଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଗ୍ରାମର ପବିତ୍ର ନାୟକଙ୍କ ସହ ତାଙ୍କର ବିବାହ ହୋଇଥିଲେ । ପବିତ୍ର ଢେଙ୍କାନାଳ ପୋଲିସ ରିଜର୍ଭରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ପବିତ୍ର ତାଙ୍କୁ ନାନା ନିର୍ଯାତନା ଦେଇ ଘରୁ ବାହାର କରିଦେଇ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଛନ୍ତି । ଏନେଇ ସେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ନ ଶୁଣିବାରୁ ବାଧ୍ୟ ହୋଇ ଜୀବନ ହାରିବାକୁ ଚାହୁଁଥିବା କହିଛନ୍ତି ଶୈଳବାଳା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ