ଢେଙ୍କାନାଳ: ମୋଟଙ୍ଗା ଥାନା କୁରୁଣ୍ଟି ତନ୍ତିସାହିରେ ଅଭାବନୀୟ ଘଟଣା । ଘରୁ ଝୁଲନ୍ତା ଅବସ୍ଥାରେ ୧୨ବର୍ଷ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ପରିବାରର ଅଭିଯୋଗ ଦୁଷ୍କର୍ମ ଘଟଣାକୁ ଚାପିବାକୁ ଯାଇ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ।
ଜଣେ ୧୨ବର୍ଷର ନାବାଳିକାର ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର ହୋଇଛି । ତାକୁ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ଉଠାଇଛନ୍ତି ପରିବାର । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ତନ୍ତି ସାହିରେ । ମା ବାପ ଦିନ ମଜୁରିଆ ହୋଇଥିବାବେଳେ ଘରେ କେହି ନଥିବାବେଳେ ଏପରି କାଣ୍ଡ ଘଟିଛି । ତେବେ ଗତକାଲି ସନ୍ଧ୍ୟା ୫ଟାରେ ଘରକୁ ବାପା ମା ଫେରିବା ପରେ ତାଙ୍କ ଝିଅର ମୃତଦେହ ପିନ୍ଧା ଲୁଗାରେ ଝୁଲୁଥିବା ଦେଖିଥିଲେ । ଏପରି ଅଭାବନୀୟ ଘଟଣା ପଛରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଚାପିବା ପାଇଁ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ମାରି ଆତ୍ମହତ୍ୟାର ରୂପଦେବାକୁ ଅପାଚେଷ୍ଟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପରିବାର ଅତ୍ୟନ୍ତ ଗରିବ କୁରୁଣ୍ଟି ତନ୍ତିସାହିରେ ଭଡାଘରେ ରହି ସ୍ଥାନୀୟ ଟାଟା ଷ୍ଟିଲରେ ଦିନ ମଜୁରିଆ ଭାବେ କାମ କରନ୍ତି । ମାତ୍ର ତାଙ୍କର ଏକମାତ୍ର ଏହି ଶିଶୁ ପ୍ରତି ଏପରି ନୃଶଂସ କାଣ୍ଡ ଘଟାଇ ହତ୍ୟା କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି କୁରୁଣ୍ଟି ଗ୍ରାମବାସୀ ।
ଖବରପାଇ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଲିସ ଫରେନସିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ସଠିକ ଘଟଣା ପଦାକୁ ଆସିବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ଉପଖଣ୍ଡ ପୁଲିସ ଅଧିକାରୀ । ଏହି ୧୨ବର୍ଷର ଶିଶୁର ଏପରି ମୃତ୍ୟୁ ଘଟଣାକୁ ନେଇ ଭଡାଘର ମାଲିକ ପୁଅ ପୁଲିସ ସନ୍ଦେହ ଘେରକୁ ଆସିଛନ୍ତି । ତେବେ ସବୁଦିନ ପାଇଁ ଆଖି ବୁଜି ଦେଇଥିବା ଏହି ସରଳ ନିଷ୍ପାପ ଶିଶୁର ପରିବାର ଏବେ ନ୍ୟାୟ ପାଇଁ ଚାହିଁ ବସିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ