ଢେଙ୍କାନାଳ: ଜିଲ୍ଲାରେ ଗଡ଼ିଲା ବିଜେପିର ଓବିସି ସଂରକ୍ଷଣ ସଚେତନତା ରଥ । ରାଜ୍ୟରେ ଶିକ୍ଷା ଓ ରାଜନୈତିକ କ୍ଷେତ୍ରରେ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ କରିବାକୁ ଦାବିରେ ଶୁକ୍ରବାରଠାରୁ ଢେଙ୍କାନାଳ ଜିଲ୍ଲାରେ ବିଜେପି ପକ୍ଷରୁ ସଚେତନତା ରଥ ଗଡ଼ିଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରୁ ଏହି ରଥ ଗାଁଗାଁ ଘରଘର ବୁଲି ରାଜ୍ୟରେ ଓବିସି ବର୍ଗର ଲୋକଙ୍କ ହକ ପାଇବା ପାଇଁ ସଚେତନତା ରଥ ମାଧ୍ୟମରେ ସଚେତନତା ଆରମ୍ଭ କରିଛି ।
ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତରେ ଓବିସି ବର୍ଗର ଲୋକଙ୍କ ନ୍ୟାର୍ଯ୍ୟ ଦାବି ତଥା ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ ଦାବି ସମ୍ପର୍କରେ ସଚେତନତା କରାଯିବ ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ବିଜେଡି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ । ଏନେଇ ସେ କହିଛନ୍ତି, " କେନ୍ଦ୍ରରେ ବିଜେପି ସରକାର ପକ୍ଷରୁ ଓବିସି ବର୍ଗର ଲୋକମାନଙ୍କ ପାଇଁ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନବୃତ୍ତି ପାଇଁ ପଛୁଆ ବର୍ଗର ଲୋକମାନେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଶତକଡ଼ା ୫୪ ପ୍ରତିଶତ ପଛୁଆ ବର୍ଗର ଛାତ୍ରଛତ୍ରୀଙ୍କୁ ଆଦୌ ସଂରକ୍ଷଣ ଦିଆଯାଉନାହିଁ । ନିଯୁକ୍ତି କ୍ଷେତ୍ରରେ ଶତକଡ଼ା ୫୦ ପ୍ରତିଶତ ବାହାନା ଦେଖାଇ ମାତ୍ର ୧୧.୨୫% ସଂରକ୍ଷଣ ଦିଆଯାଉଥିବା କହୁଥିଲେ ମଧ୍ୟ ବାସ୍ତବରେ ତାହା ରାଜ୍ୟରେ କାର୍ଯ୍ୟକାରୀ ହେଉନାହିଁ ।"
ଦୀର୍ଘ ଦିନ ହେଲା ଓବିସି ବର୍ଗ ସ୍ଥାନୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ୨୭% ସଂରକ୍ଷଣ ପାଇ ଆସୁଥିଲେ ମଧ୍ୟ ରାଜ୍ୟ ବିଜେଡି ସରକାର ଯୋଜନାବଦ୍ଧ ଭାବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନଙ୍କୁ ବଞ୍ଚିତ ରଖିଥିଲେ । ବହୁ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନକୁ ରାଜ୍ୟ ସରକାର ଅଦ୍ୟବିଧି ସାମ୍ବିଧାନିକ ମର୍ଯ୍ୟାଦା ନଦେବା ଫଳରେ କମିଶନ ଗଠନ ସାଧିତ ହୋଇପାରୁନାହିଁ । କେନ୍ଦ୍ର ଓବିସି ତାଲିକାର ଥିବା ୧୯ଟି ଜାତି ବର୍ଗଙ୍କୁ ଦୀର୍ଘ ଦିନ ହେବ ରାଜ୍ୟ ସରକାର ଓବିସି ତାଲିକା ଭୁକ୍ତ କରୁନାହାନ୍ତି ବୋଲି ବିଜେପି ଓବିସି ମୋର୍ଚ୍ଚା କହିଛି । କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ମାନଙ୍କରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଶତକଡ଼ା ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ କାହିଁକି ବଞ୍ଚିତ ରଖାଯାଇଥିବା ଓବିସି ମୋର୍ଚ୍ଚା ପ୍ରଶ୍ନ କରିଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ ତଥା ବିଜେପି ବରିଷ୍ଠ ନେତା କୃଷ୍ଣ ପାତ୍ର, ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ସୁନୀଲ ଶର୍ମା ପ୍ରମୁଖ ବିଜେପି ନେତା ଓ କର୍ମୀମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଇଟିିଭି ଭାରତ, ଢେଙ୍କାନାଳ