ଢେଙ୍କାନାଳ: ଗ୍ରାମାଞ୍ଚଳରେ କାୟା ମେଲାଉଛି ନ୍ୟୁଜିଲାଣ୍ଡର ଭିଡକମ ( vidcom ) କମ୍ପାନୀ ନାମକ ଏକ ଘରୋଇ ଅର୍ଥ ନେଣଦେଣ କାରୀ ସଂସ୍ଥା । ଟାର୍ଗେଟରେ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀ । କମିସନ ଲୋଭ ଦେଖାଇ ଏଜେଣ୍ଟଙ୍କ ଜରିଆରେ କରୁଛି ଅର୍ଥ ନେଣଦେଣ । କମ୍ପାନୀ କେତେ ଠିକ୍ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ସେପଟେ ଲୋକଙ୍କ ଭରସାଯୋଗ୍ୟ ହେବାକୁ ସରକାରୀ କାର୍ଯ୍ୟାଳୟରେ କମ୍ପାନୀ ବୈଠକ କରୁଛି । ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟରେ ଏହି କମ୍ପାନୀ ବୈଠକ କରୁଥିବା ଦେଖିବାକୁ ମିଳିଛି ।
ଭୁଷଳ ସରପଞ୍ଚ ଟୁନୀ ମଲ୍ଲିକଙ୍କ ସ୍ବାମୀ ଚିତରଞ୍ଜନ ମଲ୍ଲିକ ଏଥିପାଇଁ ଅନୁମତି ଦେଇଥିବା ବେଳେ ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ ।ଏଠାରେ ବ୍ଲକର ୧୮ଟି ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ଡିଲର ଓ ରିଟେଲରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବେଆଇନ ବୈଠକକୁ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି । ଏ ନେଇ ଭୁବନ ବ୍ଲକ BDO ଆଶୀର୍ବାଦ ପରିଡା ଅବଗତ ନଥିବା ଜଣାଇଛନ୍ତି । ତେବେ ଖୁବଶୀଘ୍ର ତଦନ୍ତ କରି ସରପଞ୍ଚଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ