ଢେଙ୍କାନାଳ: ଆଜି ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଖେଳାଯିବ । ଆମେ ଓଡ଼ିଆ ଫାଉଣ୍ଡେସନ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାଜିରାଉତ କପ । ଏଥି ପାଇଁ ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶହୀଦ ବାଜି ରାଉତଙ୍କ ନାମରେ ଏହି ଜାତୀୟ ସ୍ତରର ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଉଭୟ ଢେଙ୍କାନାଳ ଓ ଅନୁଗୋଳରେ ପ୍ରସ୍ତୁତି କରାଯାଇଛି । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଆଜି ଉଦଘାଟନୀ ଉତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ସାରା ଦେଶରୁ ବଛା ବଛା ୮ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ଅଂଶ ଗ୍ରହଣ କରିବେ । ଉଦ୍ଘାଟନୀ ମ୍ୟାଚରେ ଓଡିଶା ଏକାଦଶ ଓ ମୁମ୍ବାଇର କେଂକ୍ରେ ଫୁଟବଲ କ୍ଲବ ମଧ୍ୟରେ ପ୍ରଥମ ମ୍ୟାଚ ମଧ୍ୟାହ୍ନ ୧୨ଟାରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଉଦ୍ଘାଟନ ମ୍ୟାଚ ପରେ ଆନ୍ୟ ସମସ୍ତ ମ୍ୟାଚ ଅନୁଗୋଳ ଜିଲ୍ଲାର ଅନୁଷ୍ଠିତ ହେବ । ଆସନ୍ତା ୪ ତାରିଖରୁ ୬ ତାରିଖ ଦୁଇ ଦିନ ଧରି ଅନୁଗୋଳ କଦମ ପଡ଼ିଆରେ ୫ଟି ମ୍ୟାଚ ଅନୁଷ୍ଠିତ ହେବ । ପରେ ଆସନ୍ତା ୭ ତାରିଖ ଓ ୮ ତାରିଖ ଉଦଯାପନୀ ମ୍ୟାଚ ତାଳଚେର ସାଉଥ ବଲଣ୍ଡା ସ୍ଥିତ ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି ।
ଏହି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଦିଶା ଏକାଦଶ ସମେତ, ଓଡ଼ିଶା ଟିମ, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ପ୍ରଭୁତି ଦଳ ଅଂଶଗ୍ରହଣ କରିବେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଫୁଟବଲ ପ୍ରେମୀ ଓ କ୍ରୀଡାରେ ରୁଚି ରଖିଥିବା ଯୁବଶକ୍ତିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରେରଣା ଯୋଗାଇବ ବୋଲି ଆଶା କରିଛନ୍ତି ଆୟୋଜକ ଆମେ ଓଡ଼ିଆ ଫାଉଣ୍ଡେସନ ।
ଢେଙ୍କାନାଳ, ଇଟିଭି ଭାରତ