ଢେଙ୍କାନାଳ: ସ୍ବାସ୍ଥ୍ୟକ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଡାକ୍ତରଖାନାରେ ବିଭିନ୍ନ ପରୀକ୍ଷା ଠାରୁ ଔଷଧ ଯାଏଁ ମାଗଣାରେ ଯୋଗାଇ ଦିଆଯାଇଛି । ମାତ୍ର ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛି ରୋଗୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଏଠାରେ ଚିକିତ୍ସା ନ ପାଇ ଜଣେ ମାସକର ଶିଶୁପୁତ୍ର ଆଖି ବୁଜିଥିବା ଅଭିଯୋଗ ହୋଇଛି ।
ମୃତ ଶିଶୁଟି ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ଦିଲ୍ଲୀପ ସିଂଙ୍କର ଏକ ମାସର ପୁଅ । ଶିଶୁଟି ଅସୁସ୍ଥ ଥିବାବେଳେ ବୁଧବାର ସନ୍ଧ୍ୟାରେ ପରିବାର ଲୋକେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ନଥିବା ଆଳରେ କର୍ମଚାରୀମାନେ ତାଙ୍କୁ ଫେରାଇ ଦେଇଥିଲେ । ପରେ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତର ଘରୋଇ କ୍ଲିନିକରେ ଥିବା ଖବର ପାଇ ଶିଶୁକୁ ପରିବାର ପକ୍ଷରୁ ସେଠାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ପୁଣି ସେମାନେ ଆଉ ଏକ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏପରି ଭାବେ ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ଶେଷରେ ଶିଶୁର ମୃତ୍ୟୁ ଘଟିଛି । ଏଥିପାଇଁ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି ମୃତ ଶିଶୁର ପରିବାର ଓ ପ୍ରତ୍ୟକ୍ଷଦର୍ଶୀ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଢେଙ୍କାନାଳ ଟାଉନ ଥାନାରେ ମଧ୍ୟ ଏତଲା ଦିଆଯାଇଛି ।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏପରି ବାରମ୍ବାର ଘଟି ଚାଲିଛି । ଗତ ଦୁଇଦିନ ପୂର୍ବେ ଚିକିତ୍ସା ନ ମିଳିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବୁଧବାର ପୁଣି ଏପରି ଘଟଣାର ପୁରନାବୃତ୍ତି ହୋଇଛି ।
ଇଟିଭି ଭାରତ, ଢେଙ୍କାନାଳ