ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ - ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ
ପୋଖରୀକୁ ଗାଧୋଇବାକୁ ଯାଇ ସାତ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ଘରେ ମା ନଥିବା ବେଳେ ପୁଅ ପୋଖରୀକୁ ପଳାଇଥିଲା । ଅଧିକ ପଢ଼ନ୍ତୁ
ଢ଼େଙ୍କାନାଳ : ପୋଖରୀକୁ ଗାଧୋଇବାକୁ ଯାଇ ସାତ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କଞ୍ଚନବାହାଳୀ ଗ୍ରାମରେ । ସୂଚନାନୁସାରେ ମୃତ ପୁଅର ବାପା ସୁନିଆ ମୁଣ୍ଡା (୪୦) ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଛନ୍ତି । ଘରେ ପୁଅ ରାଜେଶ(୭), ସ୍ତ୍ରୀ ସୁକାନ୍ତି ମୁଣ୍ଡା ଓ ବାପା ସରଣ ମୁଣ୍ଡା ରୁହନ୍ତି । ସୁକାନ୍ତି ପ୍ରତିଦିନ ପରି ଆଜି ମଧ୍ୟ ନିଜର ଶିଶୁ ପୁତ୍ରକୁ ଶଶୂରଙ୍କ ଜିମା ଦେଇ ଗ୍ରାମବାସୀଙ୍କ ସହିତ କାମକରି ଚାଲିଯାଇଥିଲେ ।
ସେହି ସମୟରେ ରାଜେଶ ଏକୁଟିଆ ପୋଖରୀକୁ ଗାଧୋଇବାକୁ ପଳାଇ ଯାଇଥିଲା । ରାଜେଶ ଘରକୁ ଫେରିବା ଡେରି ହେବାରୁ ଜେଜେ ବାପା ସରଣ ଖୋଜାଖୋଜି ଆରମ୍ଭ କରିଥିଲେ । ଗ୍ରାମବାସୀଙ୍କ ସହିତ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସମୟରେ ଗ୍ରାମ ପୋଖରୀରେ ରାଜେଶ ଭାସୁଥିବାର ଦେଖି ତାକୁ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ନେଇଥିଲେ ।
ହେଲେ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପାଇଁ ପଠାଇଦେଇଥିଲେ । ଏ ସମ୍ପର୍କରେ ରାଜେଶର ମା’ ସୁକାନ୍ତି ଭୁବନ ଥାନାରେ ଏକ ଅପମୃତ୍ୟୁ ଅଭିଯୋଗ ପରେ ପୋଲିସ ଡାକ୍ତରଖାନାରେ ପହଞ୍ଚ ଶବ ବ୍ୟବଚ୍ଛେଦ ସାରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଢ଼େଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ