ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଥାନା ବେଢାପାଳ ଗାଁରେ ଭୋଜି ଖାଇବା ପରେ 15ରୁ ଅଧିକ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ।
ମୃତକ ଦୁଇ ଜଣ ହେଲେ ବେଢାପାଳ ଗ୍ରାମ ହରିଜନ ସାହିର ବାଙ୍କ ମଲ୍ଲିକ ଏବଂ ଭଗବାନ ମଲ୍ଲିକ । ୪ ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତରମାନେ ହେଉଛନ୍ତି ଗୋପବନ୍ଧୁ ସ୍ବାଇଁ,ବିଚିତ୍ର ଲେଙ୍କା, ଜଗବନ୍ଧୁ ଲେଙ୍କା, ପପୁନା ମଲ୍ଲିକ । ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଗ୍ରାମର ସର୍ବେଶ୍ବର ବେହେରାଙ୍କ ଘର ଛାତ ପଡିଥିଲା । ସେଠାକୁ ପ୍ରାୟ ୨୨ ଜଣ ଶ୍ରମିକ କାମ କରିବାକୁ ଯାଇଥିଲେ । ସେଠାରେ ଭୋଜିରେ ମାଛ ଓ ଚିକେନ ରୋଷେଇ ହୋଇଥିଲା । ତେବେ ଏହି ଖାଦ୍ୟକୁ ଶ୍ରମିକମାନେ ଖାଇଥିଲେ ।
ତେବେ ଶନିବାର ସକାଳୁ ତନ୍ମଧ୍ୟରୁ କିଛି ଶ୍ରମିକ ଝାଡାବାନ୍ତିର ଶିକାର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ବାଙ୍କ ମଲ୍ଲିକଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଏବଂ ଶନିବାର ବିଳମ୍ବିତ ରାତିରେ ଭଗବାନ ମଲ୍ଲିକଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହି ଘଟଣା ଘଟିବା ପରେ ସମଗ୍ର ଗ୍ରାମରେ ଝାଡ଼ାବାନ୍ତିକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ