ଢେଙ୍କାନାଳ: ପୁଣି ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟ(Dhenkanal Saikrupa Residential College)ର ୧୬ ଛାତ୍ର ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସାଇକୃପା କଲେଜର କୋଭିଡ ପଜିଟିଭ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।
ଶିକ୍ଷାନୁଷ୍ଠାନରେ ସ୍ବାସ୍ଥ୍ୟ ବିଭାଗର କୋଭିଡ ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ କରିଛି । କୋଭିଡ ଆଇନ ଉଲ୍ଲଘଂନ ନେଇ ପ୍ରଶାସନ ପକ୍ଷରୁ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । କଲେଜ ଅଧ୍ୟକ୍ଷ ଓ ମାଲିକ ଅନ୍ନଦା ମହାନ୍ତିଙ୍କ ନାମରେ ଏହି ମାମଲା ହୋଇଛି । ସେପଟେ ଢେଙ୍କାନାଲ ପୌରାଞ୍ଚଳ ୱାର୍ଡ ନଂ ୩ କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଲେଜର ୨୬୦ ଜଣଙ୍କର RT-PCR ଟେଷ୍ଟ ପାଇଁ ସ୍ବାବ ନିଆଯାଇଥିଲା ।
ତେବେ ବୁଧବାର ଆସିଥିବା ରିପୋର୍ଟରୁ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ, ଆଜି ପୁଣି ଆସିଥିବା ରିପୋର୍ଟରୁ ଆଉ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ କେବଳ ଏହି ଗୋଟିଏ କଲେଜରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୩ ରେ ପହଞ୍ଚିଛି ।
ଜିଲ୍ଲା ପ୍ରଶାସନର ଖାମ ଖିଆଲି ମନୋଭାବରୁ କଲେଜର ସଂକ୍ରମିତ ଚିହ୍ନଟ ପିଲାମାନଙ୍କ ସହ ଅନ୍ୟ ସମସ୍ତ ପିଲା ନିଜ ଘରକୁ ପଳାଇ ଯାଇଛନ୍ତି । ଏସବୁ ସତ୍ତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେଜ ଥିବା କୁଞ୍ଜକାନ୍ତ ଅଞ୍ଚଳକୁ ଆସନ୍ତା ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରି କଲେଜ ଓ କଲେଜର ଥିବା ୩ ଟି ହଷ୍ଟେଲକୁ ସିଲ କରିଦିଆଯାଇଛି । ଏପରିକି କଲେଜ କତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ