ଢେଙ୍କାନାଳ: କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଆଜି(ଗୁରୁବାର) ଓକିଲ ସଂଘ ତରଫରୁ କାମାକ୍ଷାନଗର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବରିଷ୍ଠ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗରେ ଏହି ବନ୍ଦ ଡାକାରା ଦେଇଥିଲେ ଓକିଲ ସଂଘ । ବନ୍ଦ ଡାକରାକୁ ୧୨ଟି ସଂଗଠନ ସମର୍ଥନ କରିଥିବା ବେଳେ ଏହାର ପ୍ରଭାବରେ କାମାକ୍ଷାନଗରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥି ସହ ସରକାରୀ ବେସରକାରୀ ସ୍କୁଲ, କଲେଜ, ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିଥିଲା । କାମାକ୍ଷାନଗରର ଅନେକ ସ୍ଥାନରେ ବ୍ୟାନର ଲଗାଇ ବନ୍ଦ ପାଳନ କରିଥିଲେ ବିଭିନ୍ନ ସଂଗଠନ ।
ଗତ ସେପ୍ଟେମ୍ବର ମାସ ୨୮ ତାରିଖ ବୁଧବାର ରାତି ସମୟରେ ବାଲିଗୋରଡ ସ୍ଥିତ ଏକ ହୋଟେଲକୁ ଦୁଇ ଜଣ ଆଇନଜୀବୀ ଓ ଦୁଇ ଜଣ କୋର୍ଟ କର୍ମଚାରୀ ଖାଇବାକୁ ଯାଇଥିଲେ । ସେଠାରେ ସାମାନ୍ୟ କଥାକୁ ନେଇ ୬ ରୁ ୭ ଜଣ ଯୁବକ ସଂଘବଦ୍ଧ ଭାବେ ଆଇନଜୀବୀ ଓ କୋର୍ଟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଆଇନଜୀବୀ ଓ ୨ କୋର୍ଟ କର୍ମଚାରୀ ଆହାତ ଅବସ୍ଥାରେ ପଡି ରହିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାରି ଜଣଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କ ଚିକିତ୍ସା ଜାରି ରହିଥିଲା ।
ଏହା ମଧ୍ୟ ପଢନ୍ତୁ-Dhamnagar by Election: ଭଲ ବ୍ୟବଧାନରେ ଜିତିବ ବିଜେଡି: ଅତନୁ ସବ୍ୟସାଚୀ
ଏହି ଘଟଣାକୁ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କେବଳ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କିନ୍ତୁ ତଦନ୍ତକୁ ଆଗକୁ ନନେଇ ହାତବାନ୍ଧି ବସିଥିବା ବେଳେ ବେଫିକର ହୋଇ ବୁଲୁଛନ୍ତି ଆକ୍ରମଣ କରିଥିବା ଯୁବକ । ଏନେଇ ଓକିଲ ସଂଘ ତରଫରୁ ଏହାକୁ ତିବ୍ର ପ୍ରତିବାଦ କରାଯାଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷପ ଗ୍ରହଣ କରାନଯିବାରୁ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ତେବେ କାମାକ୍ଷାନଗର ବନ୍ଦ ଡାକରା ନେଇ ଗତକାଲି(ବୁଧବାର) ଡାକବାଜି ଯନ୍ତ୍ର ଦ୍ବାର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଓକିଲ ସଂଘର ବନ୍ଦ ଡାକରାକୁ ୧୨ ଟି ସଂଗଠନ ଘରୋଇ ବସ ମାଲିକ ସଂଘ,ଟ୍ୟାକ୍ସି ସଂଘ, ବଣିକ ସଂଘ, ଅବସରପ୍ରାପ୍ତ ସୈନିକ ସଂଘ, ସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଓ ମହୁର ସଂଘ ସମର୍ଥନ କରି ବନ୍ଦକୁ ସମର୍ଥନ କରିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ